ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଚାର୍ଜସିଟ ଦାୟର କଲା ଏନସିବି

1 min read

ମୁମ୍ବାଇ: ଅଡ଼ୁଆରେ ଫସିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପରଲୋକଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଲାଗି ସେ ବେଆଇନ ସାମଗ୍ରୀ ଯୋଗାଇବା ସହ ସୁଶାନ୍ତଙ୍କୁ ଅତ୍ୟଧିକ ନିଶାସକ୍ତ କରାଇବା ଲାଗି ସେ ଚେଷ୍ଟା କରିଥିଲେ ବୋଲି ଦର୍ଶାଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗତ ୨୦୨୦ ଜୁନ ୧୪ରେ ନିଜର ବାସଭବନରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଏହାର ତଦନ୍ତ ଜାରି ରହିଥିଲା । ତଦନ୍ତ ପ୍ରକ୍ରିୟାରେ ଏନସିବି ୩୫ ଅଭିଯୁକ୍ତଙ୍କ ବିରୋଧରେ ୩୮ଟି ଅଭିଯୋଗ ଆଣିଥିଲା । ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାୟର କରିଛି ଏନସିବି ।

ଦାୟର ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି- ରିୟା ହେଉଛନ୍ତି ୧୦ନମ୍ବର ଅଭିଯୁକ୍ତ । ସେ ସାମୁଏଲ ମିରାଣ୍ଡା, ସୌଭିକ  ଚକ୍ରବର୍ତ୍ତୀ ଓ ଦୀପେଶ ସାଓ୍ୱନ୍ତଙ୍କଠାରୁ ଗଞ୍ଜେଇ ଆଣି ଅଭନେତା ସୁଶାନ୍ତ ସିଂ ରାଜପୁତଙ୍କୁ  ଦେଇଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ଏହି ନିଶାଦ୍ରବ୍ୟ ଯୋଗାଣ ଲାଗି ରିୟା ଅର୍ଥ ନେଉଥିଲେ । ମାର୍ଚ୍ଚ ୨୦୨୦ରୁ ସେପ୍ଟେମ୍ବର ୨୦୨୦ ଯାଏ ଏହି ନିଶାଦ୍ରବ୍ୟକୁ ରିୟା ଯୋଗାଇଆସୁଥିଲେ । ରିୟାଙ୍କ ବିରୋଧରେ ଏନଡିପିଏସ ଆକ୍ଟର ଧାରା ୮ସି, ୨୦ବି, ୨୭ଏ, ୨୮, ୨୯ ଓ ୩୦ ରୁଜୁ ହୋଇଛି । ଏହି ସବୁ ଆଇନ ଅନୁସାରେ ନିଶାଦ୍ରବ୍ୟ ହାସଲ କରିବା, ପ୍ରସ୍ତୁତ କରିବା, ବିକ୍ରି କରିବା, ପରିବହନ କରିବା, ସଞ୍ଚିତ ରଖିବା, ରପ୍ତାନି କରିବା ଆଦି ବେଆଇନ । ଚାର୍ଜସିଟରେ ଦର୍ଶାଯାଇଛି ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହି ସମସ୍ତ ୩୫ ଅଭିଯୁକ୍ତ ଅପରାଧ ଷଡ଼ଯନ୍ତ୍ର କରିଥିଲେ ଏବଂ ବେଆଇନ ସାମଗ୍ରୀ ହାସଲ କରିବା, ବିକ୍ରି କରିବା, ବଣ୍ଟନ କରିବା ଆଦି କାର୍ଯ୍ୟରେ ଲିପ୍ତ ରହିଥିଲେ ।