ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ବ୍ୟାନ, ଅଭିନୟ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା । ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ । ମନୋଜକୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ ।

ଆଜି ପ୍ରଡ୍ୟୁସର ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ କରାଯାଇ ଥିବା କୁହାଯାଇଛି । ସମ୍ବଲପୁରରେ ‘ରାମ’ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ, ଜିତୁ ମଙ୍ଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ଝଗଡ଼ା ଚାଲିଛି । ବ୍ୟକ୍ତିଗତ ଝଗଡା ପାଇଁ ବଳିପଡୁଛନ୍ତି ପ୍ରଯୋଜକ । ବିଗ ବଜେଟରେ ଫିଲ୍ମ ରାମରେ ମୁଖ୍ୟ ଭୁମିକାରେ ଅଛନ୍ତି ଅଭିନେତା ଅରିନ୍ଦମ୍ । ଗତ ୨୦ ତାରିଖରେ ସାରା ଓଡିଶାରେ ରିଲିଜ ହୋଇଥିଲା ଫିଲ୍ମ । ହେଲେ ମନୋଜଙ୍କ ସମର୍ଥକ ସମ୍ବଲପୁରରେ ଶୋ’ ବନ୍ଦ କରିଦେଇଥିଲେ । ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବୁଟର । ଏନେଇ ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ । ଅଭିଯୋଗ ନେଇ ଆଜି ବସିଥିଲା ଜରୁରୀ ବୈଠକ । ତଥ୍ୟ ପ୍ରମାଣ ମିଳିବା ପରେ ମନୋଜଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସଂଘ ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନୋଜ । ସେ କହିଛନ୍ତି, ‘ବ୍ୟାନ କରାଯିବା ନେଇ ତାଙ୍କ ପାଖକୁ କୌଣସି ଲିଖିତ ଚିଠି ଆସିନାହିଁ । ବ୍ୟାନ ପ୍ରସଙ୍ଗରେ ସେ ଅବଗତ ନାହାନ୍ତି ।’ ଏପରିକି ରାମ ସିନେମାକୁ ବିରୋଧ କରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନୋଜ ।