ବହୁଚର୍ଚ୍ଚିତ ରେଣୁକାସ୍ବାମୀ ହତ୍ଯା ମାମଲା: ଆଜି ସରିବ ଫିଲ୍ମତାରକା ଦର୍ଶନଙ୍କ ହେପାଜତ ଅବଧି

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ରେଣୁକାସ୍ବାମୀ ହତ୍ଯା ମାମଲା । ଆଜି ସରୁଛି ଅଭିଯୁକ୍ତ ତଥା କନ୍ନଡ ଫିଲ୍ମତାରକା ଦର୍ଶନ ଥୁଗୁଦୀପାଙ୍କ ହେପାଜତ ଅବଧି । ଜେରା କାଳରେ ଦର୍ଶନଙ୍କଠାରୁ ପୋଲିସ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଥିବା ସୂଚନା ମିଳିଛି । ୩୩ ବର୍ଷ ବୟସ୍କ ରେଣୁକାସ୍ବାମୀ ହତ୍ଯା ମାମଲାରେ ଦର୍ଶନଙ୍କୁ ଗତ ଜୁନ ୧୧ରେ ଗିରଫ କରିଥିଲା ପୋଲିସ । ଏହାସହ ଅନ୍ୟ ୧୯ଜଣ ବି ହୋଇଛନ୍ତି ଗିରଫ। ଗିରଫଙ୍କ ମଧ୍ଯରେ ଅଛନ୍ତି ଅନୁ କୁମାର, ଜଗଦୀଶ ଓ ରବି ।  ସେପଟେ ଦର୍ଶନଙ୍କ ବିରୋଧରେ ଆସିଛି ଆଉ ଏକ ସାଂଘାତିକ ମାମଲା । ମହୀଶୂରରେ ଗତ ୨୦୨୩ ଫେବ୍ରୁଆରୀ ୨୬ରେ ସେ ଜଣେ ବ୍ଯବସାୟୀଙ୍କୁ ଧମକ ଦେବା ସହ ଆକ୍ରମଣ କରିବାର ଏକ ଭିଡିଓ ଭାଇରାଲ ହୋଇଛି । ବ୍ୟବସାୟୀ ଯଶଓ୍ବନ୍ତଙ୍କୁ ଏକ ପବରେ ଦର୍ଶନ ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଏହି ଭିଡିଓରେ ରହିଛି । ଅଭିନେତା ପୁନୀଥ ରାଜକୁମାରଙ୍କ ଏକ ଗୀତ ବୋଲିବା ଲାଗି ଯଶବନ୍ତ ଜକିଙ୍କୁ ଅନୁରୋଧ କରିଥିଲେ । ମାତ୍ର ଏହାକୁ ବିରୋଧ କରିଥିଲେ ଦର୍ଶନ ।

ସେପଟେ ଦର୍ଶନଙ୍କ ଆରଆର ନଗରସ୍ଥିତ ଘରୁ ପୋଲିସ କିଛି ପୋଷାକ ଓ ଅନ୍ଯାନ୍ଯ ସାମଗ୍ରୀ ଜବତ କରିଥିବା ଜଣାଯାଇଛି ।ସେପଟେ ଆଉ ଏକ ବିବାଦ ବି ଆସିଛି ସାମ୍ମାନାକୁ। ଦର୍ଶନଙ୍କ ପୂର୍ବତନ ମ୍ଯାନେଜର ମଲ୍ଲିକାର୍ଜୁନ ବି. ଶଙ୍କନାଗୌଦରଙ୍କ ନିଖୋଜ ସନ୍ଦେହ ଏବେ ଘନୀଭୂତ ହୋଇଛି । କର୍ଣ୍ଣାଟକ ଗଦାଗ ଜିଲ୍ଲାର ମଲ୍ଲିକାର୍ଜୁନ ନାମକ ବ୍ଯକ୍ତି ଦର୍ଶନଙ୍କ ମ୍ଯାନେଜର ଭାବେ କାମ କରୁଥିଲେ । ମାତ୍ର ୨୦୧୬ ପରଠାରୁ ସେ ନିଖୋଜ ଅଛନ୍ତି । ବିଭିନ୍ନ ଫିଲ୍ମରେ ସେ ପୁଞ୍ଜିନିବେଶ କରିଥିଲେ ଏବଂ ସେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲେ। ଏପରକି ଅଭିନେତା ଅର୍ଜୁନ ସାରଜା ୨୦୧୬ ପୂର୍ବରୁ ମଲ୍ଲିକାର୍ଜୁନଙ୍କୁ କୋଟିଏ ଟଙ୍କା ଧାର ସୂତ୍ରରେ ଦେଇଥିଲେ । ମାତ୍ର ଟଙ୍କା ଫେରସ୍ତ ନ କରିପାରିବାରୁ ମଲ୍ଲିକାର୍ଜୁନଙ୍କ ବିରୋଧରେ ମାମଲା ଦାୟର କରିଥିଲେ ଅର୍ଜୁନ। ତେବେ ଦର୍ଶନଙ୍କଠାରୁ ବି ମଲ୍ଲିକାର୍ଜୁନ ୨ କୋଟି ଟଙ୍କା ହଡପ କରିଥିବା କୁହାଯାଉଛି । ଏପରିସ୍ଥଳେ ମଲ୍ଲିକାର୍ଜୁନଙ୍କ ନିଖୋଜ ଘଟଣା ଅନେକ ସନ୍ଦେହ ସୃଷ୍ଟି କରିଛି ।