ଅଭିନେତା ଅନୁପମ ଶ୍ୟାମଙ୍କ ଦେହାନ୍ତ, ଅଧାରେ ରହିଗଲା ‘ପ୍ରତିଜ୍ଞା’

1 min read

ମୁମ୍ବାଇ : ବି-ଟାଉନରୁ ପୁଣି ଆସିଲା ଦୁଃଖଦ ଖବର । ଜଣାଶୁଣା ଟିଭି କଳାକାର ତଥା ବହୁ ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ଅନୁପମ ଶ୍ୟାମ ଓଝାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ରବିବାର ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ୬୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅନୁପମଙ୍କ ମୃତ୍ୟୁ ଖବର ପାଇବା ପରେ ଟେଲିଭିଜନ ତଥା ଫିଲ୍ମ ଦୁନିଆରେ ଶୋକର ଛାୟା ଖେଳିଯାଇଛି।

‘ମନ କି ଆୱାଜ ପ୍ରତିଜ୍ଞା’ ଓ ‘ବାଲିକା ବଧୁ’ରୁ ଲୋକପ୍ରିୟ ହୋଇଥିବା ଅନୁପମ ଶ୍ୟାମ ଉର୍ଫ ଠାକୁର ସଜ୍ଜନ ସିମହ ୟୁପି ପ୍ରତାପଗଡ଼ର ବାସିନ୍ଦା ଥିଲେ। ତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପ୍ରତାପଗଡରେ ମଧ୍ୟ ଶୋକର ଲହରୀ ଖେଳିଯାଇଛି। ତେବେ କେବଳ ପ୍ରତାପଡ଼ କାହିଁକି ସାରା ଉତ୍ତରପ୍ରଦେଶରେ ବି ଅନୁପମଙ୍କ ଦେହାନ୍ତ ଖବର ଶୋକର ଛାୟା ଖେଳାଇଦେଇଛି ।  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅନୁପମ ଶ୍ୟାମ ଓଜାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘ପ୍ରସିଦ୍ଧ ଅଭିନେତା ଅନୁପମ ଶ୍ୟାମ ଓଝାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ସହିତ ମୋର ସମବେଦନା ରହିଛି।  ପ୍ରଭୁ ଶ୍ରୀ ରାମଙ୍କୁ ପ୍ରାର୍ଥନା କରୁଛି ଯେ ଦିବଗନ୍ତ ଆତ୍ମାକୁ ତାଙ୍କ ଚରଣରେ  ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ଶୋକସନ୍ତପ୍ତ ପରିବାର ଏବଂ ପ୍ରଶଂସକଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ। ଓମ୍ ଶାନ୍ତି! ‘

ଅନୁପମ ଶ୍ୟାମ ୧୯୯୩ରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରତାପଗଡରୁ ନିଜର ସ୍କୁଲ ପାଠପଢ଼ା ସାରିବା ପରେ ସେ ଲକ୍ଷ୍ନୌର ‘ଭାରତେନ୍ଦୁ ନାଟ୍ୟ ଏକାଡେମୀ’ରୁ ଥିଏଟର ଶିକ୍ଷା କରିଥିଲେ| କେବଳ ଏତିକି ନୁହେଁ, ଏହା ପରେ ସେ ଦିଲ୍ଲୀର ଜଣାଶୁଣା ‘ଶ୍ରୀ ରାମ ସେଣ୍ଟର ରଙ୍ଗମଣ୍ଡଳ’ରେ କାମ କରିବା ଆରମ୍ଭ କରିଥିଲେ। ଏହା ପରେ ସେ ଅଭିନୟର ସ୍ୱପ୍ନ ନେଇ ମାୟା ନଗରୀ ମୁମ୍ବାଇରେ ପହଞ୍ଚିଥିଲେ। ଆଉ ଏହାପରେ ସେ ବହୁତ ଟିଭି ସିରିୟଲ ଓ ଫିଲ୍ମରେ କାମ କରିଥିଲେ।

ଅନୁପମ ‘ବଣ୍ଡିତ୍ କ୍ୱିନ୍’, ‘ସ୍ଲୁମ ଡଗ୍ ମିଲେନିୟର’, ‘ଦି ୱାରିଅର୍’, ‘ଥ୍ରେଡ୍’, ‘ଶକ୍ତି’, ‘ହାଲା ବୋଲ୍’, ‘ରକ୍ତଚରିତ୍ର’ ଏବଂ ‘ଜୟ ଗଙ୍ଗା’, ‘ଦସ୍ତଖ’, ‘ଦିଲ୍ ସେ’,  ‘ଦୁଶମନ୍’, ‘ସତ୍ୟା’, ‘ଦିଲ ସେ’, ‘ଜଖମ୍’, ‘ସଂଘର୍ଷ’, ‘ଲଗାନ’, ‘ନାୟକ’, ‘ଶକ୍ତି’, ‘ପାପ’, ‘ଜି଼ଜ୍ଞାସା’, ‘ରାଜ୍’, ‘ୱେଲଡନ୍’, ‘ଆବ୍ବା’, ୱାଣ୍ଟେଡ୍, ‘କଜରାରେ’, ‘ଲାଗାନ୍’, ‘ଗୋଲମାଲ୍’, ଏବଂ ମୁନ୍ନା ମାଇକେଲ୍ ପରି ହିଟ୍ ଫିଲ୍ମରେ କାମ କରିଛନ୍ତି।

ଏହା ବ୍ୟତୀତ ସେ ‘ମନ୍ କି ଆୱାଜ୍ ପ୍ରତୀଜ୍ଞା’, ‘ହମ୍ ନେ ଲେ ଲି ଶପଥ’, ‘କୃଷ୍ଣା ଚଲି ଲଣ୍ଡନ’ ଏବଂ ‘ଡୋଲି ଅରମାନୋ କି’ ଭଳି ଲୋକପ୍ରିୟ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି। ସବୁଠାରୁ ଲୋକପ୍ରିୟ, ସେ ଟିଭି ଶୋ ‘ପ୍ରତୀଜ୍ଞା’ରେ ଠାକୁର ସଜ୍ଜନ ସିଂଙ୍କ ଭୂମିକାରେ ହୋଇଥିଲେ। ଏହି ନାଁରେ ସେ ଘରେ ଘରେ ଲୋକପ୍ରିୟ ହୋଇଥିଲେ । ତାଙ୍କର ଏହି ଭୂମିକା ଲୋକଙ୍କ ଉପରେ ଏତେ ପ୍ରଭାବ ପକାଇଥିଲା ଯେ ଲୋକମାନେ ତାଙ୍କୁ ନକଲ କରିବା ଆରମ୍ଭ କରିଥିଲେ, ପିଲାଠୁ ବୁଢ଼ା ଯାଏ ତାଙ୍କ ପରି ନିଷ ରଖି ତାଙ୍କରି ଭଳି ରୋବାବ ସହ କଥାବାର୍ତ୍ତା ହେଉଥିଲେ। ଅନେକ ବଡ ବଡ଼ ପ୍ରୋଜେକ୍ଟରେ କାମ କରିଥିବା ଏହି ଭେଟେରାନ୍ ଅଭିନେତାଙ୍କ ଜୀବନ ବହୁତ ଦୁଃଖରେ ଗତି କରୁଥିଲା।

https://twitter.com/ashokepandit/status/1424423098456047618?s=20

କିଛି ଦିନ ପୂର୍ବରୁ ଅନୁପମ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ହେତୁ ଚର୍ଚ୍ଚାକୁ ଆସିଥିଲେ। ଚିକିତ୍ସାରେ ଅର୍ଥ ବାଧକ ସାଜୁଥିବାରୁ ସେତେବେଳେ ବଲିଉଡ ଏବଂ ମନୋରଞ୍ଜନ ଜଗତ ସହିତ ଜଡିତ ଲୋକମାନେ ତାଙ୍କୁ ସାହାଯ୍ୟ ବି କରିଥିଲେ। କିନ୍ତୁ ଏଥର ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ସୂଚନା ମୁତାବକ ସେ ‘ପ୍ରତିଜ୍ଞା ୨’ର ଶୁଟିଂ କରୁଥିଲେ । ହେଲେ ଏହା ପୂର୍ବରୁ ହିଁ ତାଙ୍କୁ ଅନେକ ରୋଗ ମାଡ଼ି ବସିଥିଲା । ଆଉ ଏଥିପାଇଁ ସେ ମୁମ୍ବାଇର ଲାଇଫ ଇନ୍ ହସ୍ପିଟାଲରେ ଚିକିତ୍ସିତ ବି ହେଉଥିଲେ । ହେଲେ ଧୀରେ ଧୀରେ ତାଙ୍କର ସବୁ ଅର୍ଗାନ ଫେଲ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ଯାହା କି  ବଲିଉଡ ଓ ଟିଭି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।

Leave a Reply