ନିଜେ ଗୀତ ଗାଇଲେ ପିଲାଙ୍କୁ ନଚାଇଲେ, କରୋନା କାଳରେ ପିଲାଙ୍କ ସହ ସମୟ ବିତାଇଲେ ଅଭିନେତା ଆକାଶ

ଭୁବନେଶ୍ୱର: କରୋନା ପାଇଁ ସ୍କୁଲ କଲେଜ ଏବେ ସବୁ ବନ୍ଦ । କରୋନା ଛଡ଼ାଇନେଇଛି ପିଲାଙ୍କ ମୁହଁରୁ ହସ ଏବଂ ଜୀବନରୁ ସ୍କୁଲ ବେଳର ମସ୍ତି । ଏମିତିରେ ରାଜ୍ୟରେ ଥିବା ସମସ୍ତ ସେବାଶ୍ରମରେ ମଧ୍ୟ ସମାନ ଅବସ୍ଥା । ପିଲା ବାହାରକୁ ନ ବାହାରିବା ଯୋଗୁଁ ବିରକ୍ତି ଭାବ ପ୍ରକାଶ କରୁଛନ୍ତି । ସଭିଏଁ ଜୀଉଁଛନ୍ତି ଗୃହବନ୍ଦୀର ଜୀବନ । ତେବେ ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ ପିଲାଙ୍କ ମୁହଁରେ ହସ ବାଣ୍ଟିବା ପାଇଁ ଆଗେଇ ଆସିଛନ୍ତି ଅଭିନେତା ଆକାଶ ଦାସ ନାୟକ । ଡମଣାଛକ ସ୍ଥିତ ଶ୍ରୀମା ଆନନ୍ଦ ଆଶ୍ରମର କୁନି କୁନି ପିଲାଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥା ହେବା ସହିତ ସେମାନଙ୍କ ସହ ନିଜର ଖୁସୀ ବାଣ୍ଟିଛନ୍ତି ।

ଭିଡିଓ କଲ୍ ମାଧ୍ୟମରେ ହେଉ ପଛେ ନିଜର ପ୍ରିୟ ଅଭିନେତାଙ୍କୁ ପାଖରେ ପାଇ ପିଲାଙ୍କ ଖୁସି କହିଲେ ନସରେ । ଏହି ଅବସରରେ ପିଲାମାନଙ୍କୁ ନିଜ ଜୀବନର ଛୋଟ ଛୋଟ ଘଟଣା ଓ ଅନୁଭୂତି ସହିତ ତାଙ୍କ ବାସ୍ତବ ଜୀବନର ନାୟକ ସହିଦ ଭଗତ ସିଂହଙ୍କ ବଳିଦାନର କାହାଣୀ ଶୁଣାଇଥିଲେ ଆକାଶ । ଯାହା ପିଲାମାନଙ୍କୁ ବିଶେଷ ଭାବେ ଅନୁପ୍ରାଣିତ କରିଥିଲା ।

ପିଲାମାନେ ଆଗ୍ରହର ସହିତ ଆକାଶଙ୍କଠାରୁ କାହାଣୀ ଶୁଣିଥିଲେ ଏବଂ ସେ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପିଲାମାନଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ଆକାଶ । ଗପ ପରେ ଆରମ୍ଭ ହୋଇଥିଲା ଗୀତ ପର୍ଯ୍ୟାୟ । କୁନି କଣ୍ଠର ଗୀତରେ ଉଚ୍ଛୁଳି ଉଠିଥିଲା ଆନନ୍ଦ ଆଶ୍ରମର ପରିସର । ପିଲାମାନେ ଗୀତ ଗାଇ ଶୁଣାଇବା ସହ ପିଲାଙ୍କ ଅନୁରୋଧରେ ଆକାଶ ମଧ୍ୟ ଗୀତ ଗାଇଥିଲେ ।

Leave a Reply