ଫି’ ପାଇଁ ପିଲା ବନ୍ଦୀ ପ୍ରସଙ୍ଗ, ଘରୋଇ ସ୍କୁଲରେ ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓଙ୍କ ତଦନ୍ତ

1 min read

ଭୁବନେଶ୍ୱର: ଭୁବନେଶ୍ୱରର ଘରୋଇ ସ୍କୁଲରେ ସ୍କୁଲ ଫି’ ନଦେବାରୁ ପିଲା ବନ୍ଦୀ ଘଟଣା । ସ୍କୁଲରେ ତଦନ୍ତ କରିଛନ୍ତି ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓ । ଏହି ଘଟଣାରେ ଏକାମ୍ର ବିଧାୟକ ଅଶୋକ ପଣ୍ଡା କହିଛନ୍ତି ଯେ, ଏହା ଶିକ୍ଷାର ବିରୁଦ୍ଧାଚରଣ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ଏହାସହ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସହ କଥା ହୋଇଛନ୍ତି । ବିଭାଗୀୟ ଶାସନ ସଚିବଙ୍କ ଜରିଆରେ ସମ୍ପୃକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପିଲାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର କାହିଁକି କରାନଯିବ ବୋଲି ପ୍ରଶ୍ନ କରିଛନ୍ତି ଅଶୋକ ପଣ୍ଡା ।

ସେପଟେ ଏହା ଶିଶୁ ଅଧିକାର ଓ RTE ଆଇନ ଉଲ୍ଲଙ୍ଘନ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଘରୋଇ ସ୍କୁଲ ପିଲାଙ୍କର ଅଧିକ ଯତ୍ନ ନେବା କଥା । ଏନେଇ DEO, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ପାଇଁ ସୁପାରିଶ କରିବେ । ସ୍କୁଲର CBSE ସ୍ୱୀକୃତି ସମେତ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି ତଦନ୍ତ କରାଯିବ ବୋଲି ସନ୍ଧ୍ୟାବତୀ କହିଛନ୍ତି । ଗତ ସୋମବାର ଦିନ ସ୍କୁଲ ଫି’ ନଦେବାରୁ ୫ ଘଣ୍ଟା ଧରି ସ୍କୁଲର ଲାଇବ୍ରେରୀ ରୁମରେ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଥିଲେ ସ୍କୁଲ କର୍ତ୍ତୃପକ୍ଷ ।