କୃଷି ଉପକରଣ ସବସିଡି ଅର୍ଥ ହଡ଼ପ ଘଟଣାରେ EOWର କାର୍ଯ୍ୟାନୁଷ୍ଠାନ, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ
1 min readଭୁବନେଶ୍ୱର: ୧୨ କୋଟି ଟଙ୍କାର କୃଷି ଯନ୍ତ୍ରପାତି ଓ ଉପକରଣ ସବସିଡି ଅର୍ଥ ହଡ଼ପ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ମୁଖ୍ୟ ଅଭିଯୁକ୍ତ ପ୍ରଦୀପ କୁମାର ଆଚାର୍ଯ୍ୟଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ । ଜାଲ କାଗଜପତ୍ର ମାଧ୍ୟମରେ ଚାଷୀଙ୍କୁ କୃଷି ଉପକରଣ ଯୋଗାଣ କରିଥିବା ଦର୍ଶାଇ ସରକାରୀ ସବସିଡି ଅର୍ଥ ହଡ଼ପ କରୁଥିଲେ ଅଭିଯୁକ୍ତମାନେ । ଏ ସଂପର୍କରେ ଖୋଳତାଡ଼ ପରେ EOWରେ ଏକ ମାମଲା ଗତ ନଭେମ୍ବର ୭ ତାରିଖରେ ରୁଜୁ ହେବାପରେ ତଦନ୍ତ ଆରମ୍ଭ ହୋଇଥିଲା ।
ତଦନ୍ତ ସମୟରେ EOW ଜାଣିବାକୁ ପାଇଥିଲା ଯେ, ୨୦୧୬-୧୭ ଠାରୁ ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ରହ୍ମପୁରର ଶେଖ ଫାୟାଜ ନାମକ ଅଭିଯୁକ୍ତ ମିଛ ବିଲ୍, ମିଛ ଡାଟା, ମିଛ ସୂଚନା ଅପଲୋଡ କରିଥିଲା । ସେହିପରି ୩୮୧ଟି କୃଷି ଉପକରଣକୁ ଚାଷୀ ଓ ଅନ୍ୟ ହିତାଧିକାରୀଙ୍କୁ ଯୋଗାଣ କରାଯାଇଥିବା ଭଳି ମିଛ ବିଲ୍ ପ୍ରସ୍ତୁତ କରି ୧୨କୋଟି ଟଙ୍କା ସରକାରୀ ରିହାତି ହଡ଼ପ କରିଥିଲେ । ଏହି ରିହାତି ହଡ଼ପ ଘଟଣାରେ ଶେଖ୍ ଫାୟାଜକୁ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ପ୍ରଭା ରଞ୍ଜନ ଦାସ୍ ସହୟତା କରିଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା ।
ପ୍ରଦୀପ କୁମାର ଆଚାର୍ଯ୍ୟ ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ଭୁବନେଶ୍ୱରର ଏମଡି ରହିଥିବା ବେଳେ, ପ୍ରଭା ରଞ୍ଜନ ଦାସ, ଦାସ ଟ୍ରେଡର୍ସ ଆଣ୍ଡ ଆଗ୍ରୋ ଏଜେନ୍ସି ଦଶପଲ୍ଲା ଓ ଶେଖ ଫାୟାଜ ବ୍ରହ୍ମପୁରର ମୁଖ୍ୟ ଥିଲେ ବୋଲି EOW ପକ୍ଷରୁ ସୂଚନା ଦିଆଯାଇଛି । ଏହି ୩ ସଂସ୍ଥା ରାଜ୍ୟ କୃଷି ବିଭାଗର DBT ଲିଙ୍କ ସହ ଜଡିତ ରହି ଏହି ସବସିଡି ଅର୍ଥର ଅପବ୍ୟବହାର କରିଥିଲେ । ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଚାଷୀ ଓ ହିତାଧିକାରୀଙ୍କ ମିଛ ଡାଟାବେସ ପ୍ରସ୍ତୁତ କରି ଅତି ଚତୁରତାର ସହ ପ୍ରାୟ ୧୨କୋଟିରୁ ଅଧିକ ଟଙ୍କାର ଚୂନ ଲଗାଇଥିଲେ ।