ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ସଫାରି ବସ୍ କର୍ମଚାରୀଙ୍କ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ । ଗିରଫ ୩ ଜଣ ହେଉଛନ୍ତି ସନ୍ତୋଷ ସାହୁ, କାହ୍ନା ମହାପାତ୍ର ଓ ଅମନ ପାଟ୍ଟଶାଣୀ । ଗିରଫ ୩ ଯୁବକ ଦାରୁଠେଙ୍ଗ ଗ୍ରାମର ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ଛତିଶଗଡ଼ରୁ ୨୬ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ । ସଫାରିରେ ବୁଲିବା ପାଇଁ ଦିନ ୨ଟାରେ ଟିକେଟ କାଟିଥିଲେ । ମାତ୍ର ୩ ଘଣ୍ଟା କାଳ ଅପେକ୍ଷା ପରେ ମଧ୍ୟ ସଫାରି ନମିଳିବାରୁ କର୍ମଚାରୀଙ୍କ ସହିତ ବଚସା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ ସଫାରି କର୍ମଚାରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ତେବେ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଆବଶ୍ୟକ ପଡ଼ିଲେ ସଫାରି ବସ୍ ଓ ବ୍ୟାଟେରୀ ଚଳିତ ଗାଡ଼ିକୁ ଟେଣ୍ଡର ପ୍ରକ୍ରିୟାରେ ନେଇଥିବା ଘରୋଇ ସଂସ୍ଥାର ଲାଇସେନ୍ସକୁ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ । ନନ୍ଦନକାନନରେ କୌଣସି ସମସ୍ୟା ହେଲେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପର୍ଯ୍ୟଟକଙ୍କୁ ଜଣାଯାଇଛି । ଏହାସହ ପ୍ରାଣୀ ଉଦ୍ୟାନରେ ଥିବା ସଫାରୀ, ବୋଟିଂ, ପାର୍କିଂରେ ବିଶୃଙ୍ଖଳା ହେଲେ ଆଇନକୁ ହାତକୁ ନ ନେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।