ଘନ ଘନ ବୈଠକ ସତ୍ତ୍ବେ ସସପେନ୍ସରେ ପାକିସ୍ତାନ ପ୍ରତି ଆକ୍ସନ

1 min read

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କୀ ହମଲା ହୋଇଥିଲା ୨୨ ତାରିଖରେ । ୟା ଭିତରେ ୮ ଦିନ ବିତି ଆଜି ୯ ଦିନରେ ପହଞ୍ଚିଲାଣି । ଆତଙ୍କୀ ହମଲା ପଛରେ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନର ହାତ ରହିଥିବା ସ୍ପଷ୍ଟ ହୋଇଥିଲେ ସୁଦ୍ଧା ପାକିସ୍ତାନ ବିରୁଦ୍ଧରେ ଏଯାଏଁ ହୋଇନି କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ।ପହଲଗାଁଓ ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ତତ୍ପର ହୋଇଉଠିଥିଲେ । ତୁରନ୍ତ କୂଟନୈତିକ ପଦକ୍ଷେପ ହିସାବରେ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିବା ସହ ୫ଟି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଥିଲେ ।ଗତକାଲି ଭାରତୀୟ ବାୟୁ ସୀମାରେ ପାକିସ୍ତାନ ପାଇଁ କଟକଣା ଜାରି ହୋଇଛି । କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ୯ଟି ଘରକୁ ସେନା ଭାଙ୍ଗି ଚୁରମାର କରିଛି । ଘଟଣାରେ ସଂପୃକ୍ତ ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ଲୋକେସନ ଟ୍ରାକ୍ କରାଯାଇଛି । ଆତଙ୍କୀକୁ ସହଯୋଗ କରିଥିବା ଅଭିଯୋଗରେ ୨୦୦ ସ୍ଥାନୀୟ ସଂଦିଗ୍ଧ ବାସିନ୍ଦାଙ୍କୁ ଅଟକ ରଖାଯାଇଛି ।ଦେଶର ୧୦୦ ସ୍ଥାନରେ NIAର ତଦନ୍ତ ଜାରି ରହିଛି । ଆଜି NIA ଡିଜି ପହଲଗାଁଓ ଗସ୍ତ କରିଛନ୍ତି । ଗତକାଲି ତିନି ଜଣଙ୍କୁ ଗିରଫ କରାଯାଇଛି । ଏପଟେ ଆରବସାଗରରେ ନୌସେନା ସମରାଭ୍ୟାସ କରୁଥିବାବେଳେ ଗୋପନ ସ୍ଥାନରେ ସ୍ଥଳ ସେନା ସମରାଭ୍ୟାସ ଜାରି ରଖିଛି । ପଞ୍ଜାବ ସୀମାରେ ଆଣ୍ଟିଡ୍ରୋନ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି ।

ଭାରତର ଘୋଷଣା ମୁତାବକ ଭାରତରେ ଥିବା ପାକିସ୍ତାନୀ ୱାଘା-ଅଟ୍ରି ସୀମା ଦେଇ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସେହିଭଳି ପାକିସ୍ତାନରେ ଥିବା ଭାରତୀୟ ନାଗରିକ ମଧ୍ୟ ଭାରତ ଫେରୁଛନ୍ତି । ଗତ ତିନି ଦିନ ହେଲା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ ବୈଠକ ସମେତ ଅନେକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପଟେ ଗତ ୯ ଦିନ ହେଲା ଅନ୍ଧାର ହେବା ମାତ୍ରେ ସୀମା ସେପଟୁ ପାକିସ୍ତାନ କମାଣ ଗର୍ଜୁଛି । ଭାରତୀୟ ସୀମା ସୁରକ୍ଷା ବଳ ଏବଂ ସେନା ତା’ର ଜବାବ ଦେଉଛନ୍ତି । ଦୁଇ ଦିନ ତଳେ ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସେନା ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ । ବିଶ୍ଵର ବିଭିନ୍ନ ରାଷ୍ଟ୍ର ଆତଙ୍କବାଦ ବିରୁଦ୍ଧରେ ଭାରତର ଅଭିଯାନକୁ ସମର୍ଥନ ଜଣାଇଛନ୍ତି ।ଆମେରିକା ମଧ୍ୟ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା କଥା କହିଛି । କିନ୍ତୁ ପହଲଗାଁଓରେ ଆତଙ୍କୀ ଆକ୍ରମଣରେ ଯାଇଥିବା ୨୬ ନିରୀହ ଜୀବନର ପ୍ରତିଶୋଧ ନେବା ଲାଗି ଦେଶରେ ମତପ୍ରକାଶ ପାଇଥିବାବେଳେ ଏ ଯାଏଁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଖବର ଆସିନାହିଁ । ଏଥିସହ ଯୁଦ୍ଧ ଏକମାତ୍ର ବିକଳ୍ପ ନୁହେଁ ବୋଲି ମଧ୍ୟ କିଛି ମତ ଆସୁଛି ।

ସେପଟେ ପାକିସ୍ତାନ ମଧ୍ୟ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ଆଶଙ୍କା ପ୍ରକାଶ କରିଛି । ପାକିସ୍ତାନ ଗତକାଲି କହିଥିଲା ଯେ, ୨୪ରୁ ୩୬ ଘଣ୍ଟା ମଧ୍ୟରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ସେମାନଙ୍କ ପାଖରେ ଗୁଇନ୍ଦା ତଥ୍ୟ ରହିଛି । ଆଜି ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ପରିବର୍ତ୍ତନ ହୋଇଛନ୍ତି । ସୀମାରେ ପାକିସ୍ତାନ ଅଧିକରୁ ଅଧିକ ସେନା ଠୁଳ କରୁଥିବା ଖବର ମଧ୍ୟ ରହିଛି । ସିନ୍ଧୁ ଜଳ ବନ୍ଦ କଲେ ରକ୍ତର ନଦୀ ବହିବ ବୋଲି ପାକିସ୍ତାନ କହିସାରିଛି । ୟା ଭିତରେ ସମଗ୍ର ଦେଶ ଅପେକ୍ଷା କରିଛି ଭାରତ କ’ଣ ପଦକ୍ଷେପ ନେବାକୁ ଯାଉଛି ।