ଦେଶର ସମ୍ପତ୍ତିକୁ ନଷ୍ଟ କରୁଥିବା ଲୋକେ ଆତଙ୍କବାଦୀ ଗତିବିଧିରେ ସମ୍ପୃକ୍ତ: ସେହେବାଜ ସରିଫ

ଇସଲାମାବାଦ: ପାକିସ୍ତାନରେ ଇମ୍ରାନ ଖାନଙ୍କ ସମର୍ଥକଙ୍କ ବିକ୍ଷୋଭ ଚାଲିଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ଦେଶର ସମ୍ପତ୍ତିକୁ ନଷ୍ଟ କରୁଥିବା ଲୋକେ ଆତଙ୍କବାଦୀ ଗତିବିଧିରେ ସମ୍ପୃକ୍ତ ବୋଲି ସେହେବାଜ କହିଛନ୍ତି । ଏଥିସହ ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ ଦ୍ୱାରା ଇମ୍ରାନଙ୍କ ଗିରଫଦାରୀ ଠିକ୍‌ ବୋଲି ସେ ଦର୍ଶାଇଛନ୍ତି । ଆର୍ଥିକ ଅନିୟମିତତା କାର୍ଯ୍ୟରେ ଯେଉଁମାନେ ସମ୍ପୃକ୍ତ ରହିବେ ସେମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବ । ଇମ୍ରାନଙ୍କୁ ୮ ଦିନ ପାଇଁ ନାବ୍‌ ରିମାଣ୍ଡରେ ନେଇଥିବା ବେଳେ ପଚରାଉଚରା କରିବ । ଯେଉଁ ଦଳର ସମର୍ଥକମାନେ ସାରା ଦେଶରେ ବିକ୍ଷୋଭ କରୁଛନ୍ତି ସେମାନଙ୍କୁ ଦଳ ମୁଖିଆ ଏପରି ନକରିବାକୁ ଅପିଲ କରିବା କଥା  । କିନ୍ତୁ ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ ସେମିତି କିଛି ଅପିଲ କରାଯାଇନାହିଁ ବୋଲି ସେହେବାଜ କହିଛନ୍ତି । ଇମ୍ରାନଙ୍କ ସମର୍ଥକଙ୍କୁ ବାର୍ତ୍ତା ଦେବାକୁ ଯାଇ ସେହେବାଜ କହିଛନ୍ତି ଯେ ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ବେଳେ ଜାଣିଶୁଣି ବିରୋଧୀ ଦଳର ନେତା ଓ ତାଙ୍କ ପରିବାର ଲୋକଙ୍କୁ ଗିରଫ କରାଇଥିଲେ ।

ଇମ୍ରାନ ଜେଲ ଯିବା କିଛି ନୂଆ କଥା ନୁହେଁ । ଅଲ କାଦିର ଟ୍ରଷ୍ଟ ମାମଲାରେ ଗିରଫ ହେବା ପରେ ବହୁଚର୍ଚ୍ଚିତ ତୋଷଖାନା ମାମଲାରେ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ୍‌ । ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀଙ୍କୁ ବି ଗିରଫ କରାଯାଇଛି । ପ୍ରତିବାଦରେ ପିଟିଆଇ ସମର୍ଥକ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି । ଆନ୍ଦୋଳନକାରୀମାନେ ରେଡିଓ ପାକିସ୍ତାନର ହେଡକ୍ବାର୍ଟର୍ସକୁ ଜାଳି ଦେଇଥିବା ସୂଚନା ମିଳିଛି । ସେପଟେ ଦେଶରେ ମାର୍ଶାଲ ଆଇନ ଲାଗୁ କରିବା ଲାଗି ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ୧ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ରାଓଲପିଣ୍ଡିରେ ଆଇଏସଆଇ ମୁଖ୍ୟାଳୟ ବାହାରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଦେଶବ୍ୟାପୀ ବନ୍ଦ ଲାଗି ପିଟିଆଇ ପକ୍ଷରୁ ଆହ୍ବାନ ଦିଆଯାଇଛି । ସ୍କୁଲ ବନ୍ଦ କରିଦିଆଯାଇଛି । ଲାହୋରରେ ଜଣେ ଆର୍ମି କମାଣ୍ଡରଙ୍କ ଘରେ ପଶି ଇମ୍ରାନଙ୍କ ସମର୍ଥକ କିଛି ମୟୂରଙ୍କୁ ନେଇଯାଇଛନ୍ତି । ଆମେରିକା, ବ୍ରିଟେନ, କାନାଡା ପକ୍ଷରୁ ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଛି ।