ଗୃହବନ୍ଦୀ ଘଟଣା: ପ୍ରିୟଦର୍ଶିନୀ ମାର୍କେଟ ଅଞ୍ଚଳରେ ଲାଗିଲା ୧୪୪ ଧାରା

ଭୁବନେଶ୍ୱର: ଜମିବାଡ଼ି ବିବାଦକୁ ନେଇ ରାଜଧାନୀରେ ଜଣେ ପରିବାରକୁ ଗୃହବନ୍ଦୀ ଘଟଣା । ସିଆରପି ପ୍ରିୟଦର୍ଶିନୀ ମାର୍କେଟ ଅଞ୍ଚଳରେ ଲାଗିଲା ୧୪୪ ଧାରା । ଘଟଣା ସ୍ଥଳରେ ଏସିପି ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ଜମି ବାଡି ବିବାଦକୁ ନେଇ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି ମାଆପୁଅ । ୭ଦିନ ହେଲା ୭୬ବର୍ଷୀୟା ବୃଦ୍ଧା ଓ ତାଙ୍କ ପୁଅଙ୍କୁ ବନ୍ଦୀ କରିଛନ୍ତି ଦୁର୍ବୃତ୍ତ । ମାଆପୁଅଙ୍କୁ ବାହାରପଟୁ ତାଲା ପକାଇଦିଆଯାଇଛି । ବନ୍ଦୀ ବୃଦ୍ଧା ହେଲେ ୭୬ ବର୍ଷୀୟ ଅନସୂୟା ମହାନ୍ତି ।

ସେମାନେ ରହୁଥିବା ଏକ ୩ ମହଲା କୋଠାରେ ଜମିବାଡ଼ି ବିବାଦକୁ ନେଇ ଆଉ ଜଣେ ବ୍ୟକ୍ତି ଘରେ ତାଲା ପକାଇଦେଇଥିବା ଅଭିଯୋଗ ହୋଇଛି । ଘରର ପଟ୍ଟା ଅନସୂୟା ମହାନ୍ତି ଓ ତାଙ୍କ ସ୍ବାମୀଙ୍କ ନାଁରେ ଥିବା ବେଳେ ୪ଜଣ ବ୍ୟକ୍ତି ସମ୍ପତ୍ତି ହଡ଼ପ କରିବାକୁ ଯୋଜନା କରୁଥିବା ବୃଦ୍ଧାଙ୍କ ପୁଅ ଅଭିଯୋଗ କରିଛନ୍ତି । ଏନେଇ କୋର୍ଟରେ ମାମଲା ମଧ୍ୟ ଚାଲିଛି । କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ପୋଲିସ ଘର ସମ୍ମୁଖରେ ନିୟୋଜିତ ହୋଇଛନ୍ତି ।

ହେଲେ ପୋଲିସକୁ ଖାତିର ନକରି କିଛି ଲୋକ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି । ପୂର୍ବରୁ ପୋଲିସ ଆସି ତାଲା ଭାଙ୍ଗିଥିଲେ ମଧ୍ୟ ଆଉ ଥରେ ତାଲା ପକାଇଦିଆଯାଇଛି । ଫଳରେ ୭ଦିନ ହେଲା ବନ୍ଦ ଘରେ ରହିଆସୁଛନ୍ତି ମାଆ ପୁଅ । ଏଭଳି ପରିସ୍ଥିତିରେ ଉଦ୍ଧାର କରିବାକୁ ପୋଲିସକୁ ବୃଦ୍ଧା ମାଆ ଓ ତାଙ୍କ ପୁଅ ନିବେଦନ କରିଛନ୍ତି । ସେପଟେ ବ୍ୟାକଗ୍ରାଉଣ୍ଡରେ କେହି ବାବା ଥିବା ନେଇ ଚର୍ଚ୍ଚା ହେଉଛି ।

Leave a Reply