କରୋନା କଟକଣା ମାନିବାକୁ ସମସ୍ତଙ୍କୁ ନିବେଦନ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ACS Requested All To Follow Covid Guidelines

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ସ୍ଥଳେ ସରକାର ଲକଡାଉନ୍ କେବେ ଚାହୁଁନଥିଲେ । ସ୍ଥିତିକୁ ଦେଖି ବାଧ୍ୟ ହୋଇ ଲକଡାଉନ୍ କଲୁ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ସୀମାବର୍ତ୍ତୀ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ, ସପ୍ତାହନ୍ତ ସଟଡାଉନ୍ କରିଥିଲୁ । ସ୍ଥିତି ନ ସୁଧୁରିବାରୁ ସରକାର ଲକଡାଉନ୍ କରିଛନ୍ତି । ସରକାରଙ୍କ କୋଭିଡ୍ କଟକଣାକୁ ମାନନ୍ତୁ । ସକାଳେ ବଜାର ପାଇଁ ଦିଆଯାଇଥିବା ସମୟର ଅପବ୍ୟବହାର କରନ୍ତୁ ନାହିଁ । ସମସ୍ତେ କୋଭିଡ୍ ନିୟମ ପାଳନ କରନ୍ତୁ ।

ACS Requested All To Follow Covid Guidelines

ସମସ୍ତେ ସଚେତନ ହୁଅନ୍ତୁ, କରୋନାର ତୃତୀୟ ପ୍ରବାହ ଆସୁଛି । ଲକଡାଉନ୍ ସମୟରେ ସମସ୍ତେ କରୋନା କଟକଣା ମାନନ୍ତୁ । ନ ମାନିଲେ ସ୍ଥିତି ବିଗିଡ଼ିବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଏଥିସହ ରାଜ୍ୟରେ ଟିକାକରଣ ନେଇ ସେ ସୂଚନା ଦେଇଛନ୍ତି । ରାଜ୍ୟରେ ଏଯାବତ୍ ୯୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୮୭ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିଭଳି ୯୭ ପ୍ରତିଶତ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

ଆକଳନ ଅନୁସାରେ ରାଜ୍ୟରେ ୪୫ ବର୍ଷରୁ ଅଧିକ ୧ କୋଟି ୧୬ ଲକ୍ଷ ଲୋକ ରହିଛନ୍ତି । ସେଥିରୁ ୪୩ ଲକ୍ଷ ୫୫ ହଜାର (୩୭ ପ୍ରତିଶତ) ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇଛି । ସେଥିରୁ ୨୩ ଲକ୍ଷ ୪୩ ହଜାର ୯୦୭ ଜଣ ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ଦିନ ହୋଇ ସାରିଲାଣି । ଏବେ ସୁଦ୍ଧା ପ୍ରାୟ ୬ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । କେବଳ ଭୁବନେଶ୍ୱରରେ କୋଭାକ୍ସିନ୍ ଦିଆଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସହ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି ।

ଏହା ପୂର୍ବରୁ ଘରୋଇ ହସ୍ପିଟାଲ୍ ଟିକା ଦେଉଥିଲେ । ଏଥିପାଇଁ ସେମାନେ ୧୫୦ ଟଙ୍କା ନେଉଥିଲେ । ଯେଉଁମାନେ ଏପ୍ରିଲ୍ ୩୦ ପୂର୍ବରୁ ଘରୋଇ ହସ୍ପିଟାଲରେ ଟିକା ନେଇଥିଲେ ସେମାନେ ଦ୍ୱିତୀୟ ଡୋଜ୍ ଟିକା ସରକାରୀ ହସ୍ପିଟାଲରେ ନେଇପାରିବେ । ସେମାନଙ୍କୁ ମାଗଣାରେ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ଦିଆଯିବ । କୋଭାକ୍ସିନ୍ ନିଅଣ୍ଟ ନାହିଁ, କୋଭିସିଲ୍ଡ ନିଅଣ୍ଟ ରହିଛି । କୋଭିସିଲ୍ଡ ଯୋଗାଇ ଦେବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଟିକା ଆସିଲେ ପ୍ରଥମେ ଦ୍ୱିତୀୟ ଡୋଜ୍ ଲୋକଙ୍କୁ ଦିଆଯିବ । ତା’ଛଡ଼ା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇନାହାଁନ୍ତି ସେମାନଙ୍କୁ ଦିଆଯିବ ।

କୋଭାକ୍ସିନ୍ ପ୍ରଥମ ଡୋଜ୍ ନେବାର ୨୮ରୁ ୪୧ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ିବ । ସେହିଭଳି କୋଭିସିଲ୍ଡ ପ୍ରଥମ ଡୋଜର ୬ରୁ ୮ ସପ୍ତାହ ଅର୍ଥାତ୍ ୪୨ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ିବ । ୧୮ରୁ ୪୪ ବର୍ଷ ମଧ୍ୟରେ ୧ କୋଟି ୯୩ ଲକ୍ଷ ଲୋକ ରହିଛନ୍ତି । ସେଥିରୁ ୧୦ ଲକ୍ଷ ୩୪ ହଜାର ଭୁବନେଶ୍ୱର ଅଞ୍ଚଳର, ସେମାନଙ୍କୁ କୋଭାକ୍ସିନ୍ ଦିଆଯିବ । ବାକି ସମସ୍ତ ସ୍ଥାନରେ କୋଭିସିଲ୍ଡ ଦିଆଯିବ । ଏଥିପାଇଁ ସରକାର କୋଭିସିଲ୍ଡ, କୋଭାକ୍ସିନ୍ ପାଇଁ ଅର୍ଡର ଦେଇଛନ୍ତି ।

ମେ ମାସରେ ୪୦ ଲକ୍ଷ, ତା ପର ମାସରେ ୬୦ ଲକ୍ଷ କୋଭିସିଲ୍ଡ ଟିକା ଦେବା ପାଇଁ ଆମେ ଲେଖିଥିଲୁ । ସେମାନେ ୪ ଲକ୍ଷ ୭୮ ହଜାର କୋଭିସିଲ୍ଡ ଡୋଜ୍ ଦେବା ପାଇଁ ସେରମ ପ୍ରତିଶ୍ରୁତି ଦେଇଛି । ଏଥିପାଇଁ ଆମେ ୧୫ କୋଟି ଟଙ୍କା ଅଗ୍ରମୀ ଦେଇଛୁ । ଏପରିକି ୪୦ କୋଟିର ଟଙ୍କା ଚାହିଁଲେ ଆମେ ଦେଇ ଦେବୁ । ଟିକା ଆସିଲେ ଦିଆଯିବ । ପ୍ରଥମେ ସହରାଞ୍ଚଳକୁ ପ୍ରାଥମିକତା ଦିଆଯିବ । ଟିକା ଆସିଲେ, ସ୍ଲଟ୍ ଦିଆଯିବ । ଏପରିକି ଘରୋଇ କେନ୍ଦ୍ରରେ ମାଗଣା ଟିକା ଦିଆଯିବା ନେଇ ସରକାର ପଦକ୍ଷେପ ନେଇଛନ୍ତି । ଏଥିପାଇଁ କେବଳ ଶହେ ଟଙ୍କା ପରିଚାଳନା ଖର୍ଚ୍ଚ ଦେବାକୁ ପଡ଼ିବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

Leave a Reply