ପୁରୀକୁ ନେଇ ଲେଖାଶ୍ରୀଙ୍କ ଅରୁଚିକର ମନ୍ତବ୍ୟକୁ ସମସ୍ତ ରାଜନୈତିକ ଦଳର ନିନ୍ଦା

ଭୁବନେଶ୍ୱର:  ପୁରୀର ପରିଚୟ ସମ୍ପର୍କିତ ବିବାଦୀୟ ବୟାନ ଦେଇ ହରଡ଼ଘଣାରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ବିଜେପି ନେତା ସମ୍ବିତ ପାତ୍ରଙ୍କ ଯୋଗୁ ପୁରୀକୁ ଲୋକେ ଜାଣିଲେ ବୋଲି ଲେଖଶ୍ରୀ ଦେଇଥିବା ବୟାନକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା ହୋଇଛି। ବିଜେଡି ଓ କଂଗ୍ରେସ ସମେତ ଖୋଦ ନିଜ ଦଳ ଅର୍ଥାତ ବିଜେପି ନେତା ବି ଏ ପ୍ରସଙ୍ଗରେ ଲେଖାଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ଭୁଲକୁ ସ୍ୱୀକାର କରିବାକୁ କହିଛନ୍ତି।

ଲେଖାଶ୍ରୀଙ୍କ ମନ୍ତବ୍ୟ ତାଙ୍କ ନିର୍ବୋଧତାକୁ ସୂଚଉଛି ବୋଲି କହିଛି ବିଜେଡି। ଜଗନ୍ନାଥ ପ୍ରେମୀଙ୍କ ମନରେ ଏହି ବୟାନ ଆଘାତ ଦେଇଛି । ପୁରୀ କହିଲେ ଜଗନ୍ନାଥଙ୍କ କଥା ବୁଝାଏ। ଜଗନ୍ନାଥଙ୍କୁ କୌଣସି ନେତାଙ୍କ ସହ ତୁଳନା କରିବା ଏହା ନିର୍ବୋଧତା ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି। ଲେଖାଶ୍ରୀଙ୍କ ଉଦ୍ଦେଶ୍ୟ ହେଉଛି ନିଜ ଦଳୀୟ ନେତାଙ୍କୁ ତେଲ ମାରିବା ଓ ପଦପଦବୀ ପାଇବା । ପୁରୀବାସୀଙ୍କୁ ଅପମାନିତ କରିବା। ସେ ନିଜ ଦଳ ଭିତରେ ନେତାଙ୍କ ସହ କଥା ହେଉନହାନ୍ତି ବୋଲି କହିଛନ୍ତି ପ୍ରମିଳା।

 

ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ସୌମ୍ୟ ରଂଜନ ପଟ୍ଟନାୟକ ଙ୍କ କହିବା କଥା ତାଙ୍କୁ ଯେତେବେଳେ  ବାହାରେ ଲୋକେ ପଚାରୁଥିଲେ ଓଡିଶା କେଉଁଠି ସେତେବେଳେ ଜଗନ୍ନାଥଧାମ ପୁରୀର ପରିଚୟ ଦେଉଥିଲେ । ପରେ ଲୋକେ ଜାଣିପାରୁଥିଲେ ।ଏବେ କେମିତି ସମ୍ବିତ ନୂଆ ପରିଚୟ ଦେଲେ ମୁଁ ଜାଣିପାରୁନାହିଁ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି।ଏଭଳି  ଶସ୍ତା ମନ୍ତବ୍ୟ  ଲେଖାଶ୍ରୀ ମାଡାମ ଦିଅନ୍ତୁ ନାହିଁ ବୋଲି ସେ କହିଛନ୍ତି।

ଜଗନ୍ନାଥଙ୍କ ପ୍ରସଙ୍ଗରେ ଲେଖଶ୍ରୀଙ୍କ ବୟାନକୁ ନେଇ ଗର୍ଜିଛି କଂଗ୍ରେସ। ଜଗନ୍ନାଥ ଧାମକୁ ନେଇ ଏଭଳି ମନ୍ତବ୍ୟ ଦେବା ନିନ୍ଦନୀୟ ଓ ସେ ତୁରନ୍ତ ରାଜ୍ୟବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେପଟେ ଖୋଦ ନିଜ ଦଳ ବି ଏ ପ୍ରସଙ୍ଗରେ ଲେଖା ଙ୍କ ଉପରେ ବର୍ଷିଛି। ଲେଖାଶ୍ରୀ ସାମନ୍ତସିଂହାର ଯଦି ଏଭଳି କଥା କହିଛନ୍ତି ତାହେଲେ ଏହା ହାସ୍ୟାସ୍ପଦ। ସେ ଏଥିପାଇଁ ଦୁଃଖ ପ୍ରକାଶ କରିବା କଥା,ଜଗନ୍ନାଥ ଧାମ ଜଗନ୍ନାଥଙ୍କ ପାଇଁ ସାରା ବିଶ୍ୱରେ ପରିଚିତ,ସମ୍ବିତ ପାତ୍ରଙ୍କ ପାଇଁ ନୁହଁ ବୋଲି କହିଲେ ବିଜେପି ନେତା ପ୍ରଦୀପ ପୁରୋହିତ। ଏହି ପ୍ରସଙ୍ଗରେ ଯୁବ  ନେତା ତଥା ଭାରତୀୟ ଭାଷା ଆପଣାନ୍ତୁ ସଙ୍ଗଠନର ରାଜ୍ୟ ସଭାପତି  ଆଶିଷ ମିଶ୍ର ଏତଲା ମଧ୍ୟ ଦାୟର କରିଛନ୍ତି ।

 

Leave a Reply