ପରୀକ୍ଷା ଦେବାକୁ ଯାଉଥିବା ୩ ଜଣ ଛାତ୍ରୀଙ୍କ ଉପରେ ଏସିଡ୍ ମାଡ

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକର ମାଙ୍ଗାଲୁରୁରେ ଅଭାବନୀୟ ଘଟଣା। ପରୀକ୍ଷା ଦେବାକୁ ଯାଉଥିବା ବେଳେ ୩ ଜଣ ଛାତ୍ରୀଙ୍କ ଉପରେ ଏସିଡ୍ ମାଡ। ସ୍କୁଲର ପରୀକ୍ଷା ହଲରେ ପ୍ରବେଶ କରୁଥିବା ବେଳେ ଜଣେ ଅଭିଯୁକ୍ତ ଏମାନଙ୍କ ଉପରକୁ ଏସିଡ୍ ଫିଙ୍ଗିଥିବା ଜଣାପଡିଛି। ଫଳରେ ୩ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ମାଙ୍ଗାଲୁରୁର କଡଓ୍ୱା ଅଞ୍ଚଳରେ ତିନି ଜଣ ଛାତ୍ରୀ ନିଜ ଦ୍ୱିତୀୟ ପିୟୁସି ଟେଷ୍ଟ ଦେବା ପାଇଁ ସ୍କୁଲ ହଲ୍ ଭିତରକୁ ପ୍ରବେଶ କରୁଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ମାସ୍କ ପିନ୍ଧି ସେମାନଙ୍କୁ ଅପେକ୍ଷା କରି ରହିଥିଲା। ଛାତ୍ରୀମାନେ ସ୍କୁଲରେ ପହଞ୍ଚିବା ପରେ ଯୁବକ ଜଣକ ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲା। ଫଳରେ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ସେପଟେ ଏସିଡ୍ ମାଡ କରିଥିବା ଅଭିଯୁକ୍ତ ଜଣକ କେରଳର ୨୩ ବର୍ଷୀୟ ଏମବିଏ ଛାତ୍ର ଅବିନ୍ ବୋଲି ଜଣାପଡିଛି। ଘଟଣାରେ ଅବିନକୁ ଗିରଫ କରିଛି ପୋଲିସ।