ଜମାଦବନ୍ଦୀ ପାଇଁ ଗିରଫ ହୋଇପାରିବେନି ବିଦ୍ୟା, କିନ୍ତୁ ୯୦ ଭାଗ ଜଳିସାରିଥିବା ସୌମ୍ୟଙ୍କ ଠାରୁ କେମିତି ମିଳିଲା ଜମାନବନ୍ଦୀ ?

ACF Soumya Death Case Crime Branch Filed Charge Sheet Against Bidya Bharati

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇପାରିବେନି ତାଙ୍କ ପତ୍ନୀ ବିଦ୍ୟାଭାରତୀ। ଏଥିପାଇଁ ରହିଛି ଆଇନଗତ ପ୍ରତିବନ୍ଧକ। ଗତ ୧୨ ତାରିଖରେ ସୌମ୍ୟ ପୋଡ଼ି ହେବା ପରେ ପାରଳାଖେମୁଣ୍ଡି ହସ୍‌ପିଟାଲରେ ମୃତ୍ୟୁକାଳୀନ ଜମାନବନ୍ଦୀରେ ଏହାକୁ ଏକ ଦୁର୍ଘଟଣା ବୋଲି ନିଜେ କହିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିଲା। ଏହାପରେ ୧୩ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା। ସୌମ୍ୟଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦର୍ଶାଇ ପାରଳାଖେମୁଣ୍ଡି ଥାନାରେ ବିଧିବଦ୍ଧ ଭାବେ ଲିଖିତ ଅଭିଯୋଗ କରାଯାଇଥିଲା।

ପୋଲିସ ଏହି ଅଭିଯୋଗ ଆଧାରରେ ୩ ଜଣଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନ ଚିଟ୍‌ ପ୍ରଦାନ କରିସାରିଛି। ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ତାଙ୍କ ଗାଁରେ ଜେରା କରି ଆସିଛି। ତେବେ ବିଦ୍ୟାଭାରତୀଙ୍କୁ ଗିରଫ କରି ଜେରା କରିବା ପାଇଁ ସୌମ୍ୟଙ୍କ ଓକିଲ ବାରମ୍ବାର ଦାବି କରି ଆସୁଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ବିଦ୍ୟାଭାରତୀଙ୍କୁ ପୋଲିସ ଗିରଫ କରିବ ନାହିଁ। ରହିଥିବା ଆଇନଗତ ପ୍ରତିବନ୍ଧକ ବାବଦରେ ଯଦିଓ ପୋଲିସ ତର୍ଜମା କରୁଛି, ତଥାପି ଏହି ମାମଲା ଯେ ଆଗକୁ ଆଉ ବଢ଼ିବ ନାହିଁ ତାହା ଆପାତତଃ ସ୍ପଷ୍ଟ ହୋଇ ସାରିଛି।

ପୋଲିସ ବିଦ୍ୟାଭାରତୀଙ୍କୁ ଗିରଫ ନକଲେ ହାଇକୋର୍ଟଙ୍କ ଆଶ୍ରୟ ନିଆଯିବ ବୋଲି ସୌମ୍ୟଙ୍କ ପରିବାରର ଓକିଲ କହିଛନ୍ତି। ଦୁଇଦିନ ତଳେ ପାରଳାଖେମୁଣ୍ଡି ପୋଲିସ ବଲାଙ୍ଗୀର ଯାଇ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମକୁ ସିଲ କରି ଆସିଛି। ସେଠାରେ ବିଭିନ୍ନ ଲୋକଙ୍କୁ ପୋଲିସ ଜେରା କରିଥିଲେ ମଧ୍ୟ କୌଣସି ବିଶେଷ ସୁରାକ ମିଳିନାହିଁ। ଅପରପକ୍ଷରେ ପ୍ରତିଦିନ ବିଦ୍ୟାଭାରତୀଙ୍କ ଗୋଟିଏ ଗୋଟିଏ ଘୃଣାପୂର୍ଣ୍ଣ ଚିଠି ଭାଇରାଲ ହେବାରେ ଲାଗିଛି। ସ୍ୱମୀଙ୍କ ପ୍ରତି ବିଦ୍ୟାଭାରତୀଙ୍କ ମନରେ ରହିଥିବା ପ୍ରଚଣ୍ଡ ଘୃଣା ଏହି ସବୁ ଚିଠିରୁ ସ୍ପଷ୍ଟ ଜଣାପଡୁଛି। ଗତକାଲି ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ସୌମ୍ୟ ୯୫ ପ୍ରତିଶତ ପୋଡ଼ିଯାଇଥିଲେ। ତାଙ୍କ ଦେହରୁ କିରୋସିନ ଗନ୍ଧ ଆସୁଥିଲା। ବ୍ୟବଚ୍ଛେଦର ୬ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଥିଲା। ଏହି ରିପୋର୍ଟ ଆସିବା ପରେ ପ୍ରଶ୍ନ ଉଠୁଛି ଯେ ୯୫ ପ୍ରତିଶତ ପୋଡ଼ିଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ କିଭଳି ପୋଲିସ ରେକର୍ଡ କରିବାରେ ସକ୍ଷମ ହେଲା କେମିତି ହେଲା ?

ସୌମ୍ୟ ପାରଳାଖେମୁଣ୍ଡି ହସପିଟାଲରେ ଥିବା ବେଳର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଛି। ଏହି ଦୃଶ୍ୟରୁ ସ୍ପଷ୍ଟ ହେଉଛି ଯେ ସୌମ୍ୟଙ୍କ ପାଟି ସମ୍ପୂର୍ଣ୍ଣ ଶକ୍ତ ହୋଇସାରିଥିଲା। ତେଣୁ ସେ ଉଚ୍ଚାରଣ କରିବା ସମ୍ଭବ ନୁହେଁ। ଏଥି ସହିତ ସୌମ୍ୟଙ୍କର ସଂଜ୍ଞା ମଧ୍ୟ ନଥିଲା। ତେଣୁ ପୋଲିସ କିପରି ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କଲା ତାହା ଏବେ ବଡ଼ ପ୍ରଶ୍ନବାଚୀ। ସୌମ୍ୟଙ୍କ ମୃତ୍ୟୁ ମାମଲା ଆଗକୁ ବଢ଼ିବାରେ ତଥାକଥିତ ମୃତ୍ୟୁକାଳୀନ ଜମାନବନ୍ଦୀ ହିଁ ମୁଖ୍ୟ ପ୍ରତିବନ୍ଧକ ବୋଲି କୁହାଯାଉଛି।

Leave a Reply