ACF ମୃତ୍ୟୁରେ DFOଙ୍କୁ କ୍ଲିନଚିଟ୍, ଅଧିକ ତଦନ୍ତ ପାଇଁ ବଲାଙ୍ଗିର ଗସ୍ତରେ ପାରଳାଖେମୁଣ୍ଡି ପୋଲିସ

ଭୁବନେଶ୍ୱର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଅଧିକ ତଦନ୍ତ ପାଇଁ ବଲାଙ୍ଗିର ଗସ୍ତ କରିଛି ପାରଳାଖେମୁଣ୍ଡି ପୋଲିସ  । ଏକ ୫ ଜଣିଆ ଟିମ ବଲାଙ୍ଗିର ଯାଇଥିବା ନେଇ  ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ଟାଉନ ଥାନା ଆଇଆଇସି ବିବେକା ନନ୍ଦ ସ୍ବାଇଁ । ସେପଟେ ଏହି ମାମଲାରେ ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ସୌମ୍ୟଙ୍କ ଭାଇ । ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଡିଏଫଓଙ୍କୁ ମିଳିଛି କ୍ଲିନ୍‌ ଚିଟ୍‌ । ଡିଏଫଓଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି । ସୌମ୍ୟଙ୍କ ଘରକୁ କେବେବି ଯାଇନଥିଲେ ଡିଏଫଓ । ସବୁ ଦିଗରୁ ତଦନ୍ତ ପରେ ଡିଏଫଓଙ୍କ ଲିଙ୍କ ନଥିବା ସ୍ପଷ୍ଟ ହୋଇଥିବା ଏସପି କହିଛନ୍ତି ।

ତଦନ୍ତ ସରିବା ପରେ ଘଟଣାରୁ ପର୍ଦ୍ଦା ଉଠିବ ବୋଲି କହିଛନ୍ତି ଏସପି । ତେବେ ଆବଶ୍ୟକ ପଡିଲେ ଡିଏଫଓ ପୁଣି ଆସିପାରନ୍ତି ସ୍କାନରକୁ । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହ ମୋଟ୍‌ ୭ଜଣଙ୍କୁ ପଚରାଉଚରା କରାଯାଇଥିଲା । ଜେରା ବେଳେ ବିଦ୍ୟାଭାରତୀଙ୍କୁ ଜାଣିନଥିବା କହିଥିଲେ ଡିଏଫଓ । ଘଟଣା ଦିନ ହିଁ ସେ ପ୍ରଥମ କରି ବିଦ୍ୟାଙ୍କୁ ଦେଖିଥିବା କହିଥିଲେ । ସେପଟେ ରୋଷେୟା ମନ୍ମଥ କୁମ୍ଭର ବି ଘଟଣା ସହ ସଂପୃକ୍ତି ନଥିବା ସ୍ପଷ୍ଟ କହିଛନ୍ତି ଏସପି । କଲ ଡିଟେଲ୍‌ସରୁ ଘଟଣା ସହ ସମୃକ୍ତି ନେଇ କୌଣସି ତଥ୍ୟ ମିଳିନି। ଏ ସମସ୍ତ ତଥ୍ୟ ଅଧାରରେ ଡିଏଫଓ ଏବଂ ମନ୍ମଥଙ୍କୁ କ୍ଲିନ୍‌ ଚିଟ୍‌ ଦିଆଯାଇଥିବା କହିଛନ୍ତି ଏସପି ।

ଡିଏଫଓଙ୍କ ସହ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ବି ଜେରା କରାଯାଇଥିଲା । ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କ ସହ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ପାରିବାରିକ ଦୂର ସମ୍ପର୍କ ନେଇ ଚର୍ଚ୍ଚା ହେଉଛି। ବିଦ୍ୟାଙ୍କ ମା ଫୋନ କରି ଘଟଣା ସମ୍ପର୍କରେ ଜଣାଇ ସହାୟତା କରିବାକୁ ଅନୁରୋଧ କରିଥିଲେ ବୋଲି କହିଛନ୍ତି ମମତା। ସେହିଭଳି ଜେରାର ସମ୍ମୁଖୀନ ହୋଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ଦୟାନିଧି ଶବର, ୧୦୮ ସଂଯୋଜକ ପ୍ରଦୀପ କୁମାର ରାମ, ବଲାଙ୍ଗୀର କାରରେ ନେଇ ଯାଇଥିବା ଡ୍ରାଇଭର ପ୍ରମୋଦ ପଣ୍ଡା। ସେହିଭଳି ଘଟଣା ଦିନ ଆମ୍ବୁଲାନ୍ସରେ ଯାଇଥିବା ଜଣେ ବନକର୍ମଚାରୀ ଶିବରାମ ସାବତଙ୍କୁ ବି ଜେରା କରିଛି ପୋଲିସ। ତେବେ ଘଟଣା ଦିନ ଆମ୍ବୁଲାନ୍ସ ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାତ୍ର ୧୫ ମିନିଟ ଅଟକି ଥିଲା । ବିଦ୍ୟା ବ୍ୟାଗ ନେଇ ଗାଡ଼ିରେ ବସିଥିଲେ । ଅଧିକ ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ଏସପି ।

Leave a Reply