ଅସଲି ପୋଲିସକୁ ନକଲି ପୋଲିସର ମାଡ଼ ଘଟଣା: ଅଭିଯୁକ୍ତ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଥାନାରେ ମାଗିଲେ କ୍ଷମା

ଭୁବନେଶ୍ବର: ଭିଏସଏସ ନଗର ହାଟରେ ଅସଲି ପୋଲିସଙ୍କୁ ନକଲି ପୋଲିସ ମାଡ଼ ମାରିବା ଘଟଣା । ଅଭିଯୁକ୍ତ ଜଣଙ୍କ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ । ନାଁ ସଂଗ୍ରାମ ବିଶ୍ବାଳ । ଘଟଣା ସ୍ଥଳରେ ନିଜକୁ ଡିଏସପି ପରିଚୟ ଦେଇ କାର୍ଯ୍ୟରତ କନଷ୍ଟେବଳଙ୍କୁ ମାଡ଼ ମାରିଥିଲେ ।

ସହିଦ ନଗର ଥାନାକୁ ନେବା ପରେ ସତ ମାନିଛନ୍ତି ସଂଗ୍ରାମ । ହାଟରେ ଡିଏସପି ବୋଲି ମିଛ ପରିଚୟ ଦେଇଥିବା ସ୍ବୀକାର କରିଛନ୍ତି ସଂଗ୍ରାମ । ଏହାସହ ଥାନା ଆଇଆଇସିଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଥାନା ଅଧିକାରୀଙ୍କୁ ନିଜ ଆଇକାର୍ଡ ଦେଖାଇବା ପରେ ସେ ବିଏସଏଫ କର୍ମଚାରୀ ବୋଲି ସ୍ପଷ୍ଟ ହୋଇଥିଲା । ଆକ୍ରମଣର ଶିକାର ହୋଇଥିବା କନଷ୍ଟେବଳ ହେଲେ ମନୋଜ ବେହେରା । ପୋଲିସ ସଂଗ୍ରାମଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଆଜି ସଂଗ୍ରାମ ଭିଏସଏସ ନଗର ହାଟରେ ମଟନ କିଣିବାକୁ ଆସିଥିଲେ । ଏହି ସମୟରେ ସେ ତାଙ୍କ ଗାଡ଼ିକୁ ରାସ୍ତା ଉପରେ ରଖିଥିଲେ । କାର୍ଯ୍ୟରତ କନଷ୍ଟେବଳ ମନୋଜ ରାସ୍ତାରୁ ଗାଡ଼ି ହଟାଇବାକୁ ସଂଗ୍ରାମଙ୍କୁ କହିଥିଲେ । ଯାହାକୁ ନେଉ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଏହି ସମୟରେ ସଂଗ୍ରାମ ନିଜକୁ ଡିଏସପି ବୋଲି ପରିଚୟ ଦେଇଥିଲେ । ହେଲେ ଥାନାରେ ମିଛ କହିଥିବା ସ୍ବୀକାର କରିଛନ୍ତି ସଂଗ୍ରାମ ।