ଗୋଧରା କାଣ୍ଡର ୮ ଦୋଷୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୦୨ରେ ଗୁଜରାଟ ଗୋଧରାରେ ଟ୍ରେନ ବଗିରେ ନିଆଁ ଲଗାଇଥିବା ୮ ଦୋଷୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇ ଦେଇଛନ୍ତି । ଅବଶ୍ୟ ସର୍ବୋଚ୍ଚ କୋର୍ଟ ୪ ଦୋଷୀଙ୍କ ଜାମିନ ଆବେଦନକୁ ସେମାନଙ୍କ ଭୂମିକାକୁ ଦୃଷ୍ଟିରେ ରଖି ଖାରଜ କରି ଦେଇଛନ୍ତି । ଏହି ୮ ଜଣ ଗୋଧାରରେ ଟ୍ରେନ ବଗିରେ ନିଆଁ ଲଗାଇବାର ଦୋଷୀ ସାବ୍ୟସ୍ତ ହୋଇଥିଲେ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏହି ୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଏବଂ ଟ୍ରାଏଲ କୋର୍ଟ ସେମାନଙ୍କ ଦଣ୍ଡକୁ ବଳବତ୍ତର ରଖିଥିଲେ । ଏହି ଜଘନ୍ୟ କାଣ୍ଡରେ ଅଯୋଧ୍ୟାରୁ ଆସୁଥିବା ୫୮ ତୀର୍ଥଯାତ୍ରୀଙ୍କୁ ଜୀଅନ୍ତା ଜାଳି ହତ୍ୟା କରାଯାଇଥିଲା ।

ଘଟଣା ପରେ ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ବ୍ୟାପିଥିଲା । ସୂଚନାଥାଉକି, ଏହା ପୂର୍ବରୁ ସୁପ୍ରିମକୋର୍ଟ ଏହି ଦୋଷୀଙ୍କ ଆବେଦନ ଖାରଜ କରି ଦେଇଥିଲେ । ଏହି ସମସ୍ତଙ୍କୁ ଟ୍ରାଏଲ କୋର୍ଟରୁ ଫାଶୀ ଦଣ୍ଡ ମିଳିଥିଲା । କିନ୍ତୁ ଗୁଜରାଟ ହାଇକୋର୍ଟ ପରେ ଏହାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ । ଉଚ୍ଚତମ ନ୍ୟାୟଳୟ କହିଥିଛନ୍ତି ଯେ, ଏମାନଙ୍କୁ ଟ୍ରାଏଲ କୋର୍ଟ ଫାଶୀ ଦଣ୍ଡ ଦେଇଥିଲେ ଯାହାକୁ ହାଇକୋର୍ଟ କମ୍ କରିଦେଇଥିଲେ । ହାଇକୋର୍ଟଙ୍କ ସେଇ ରାୟକୁ ଗୁଜରାଟ ସରକାର ଚ୍ୟାଲେଞ୍ଜ କରିଥିଲେ । କେବଳ ଏତିକି ନୁହେଁ ଗୁଜରାଟ ସରକାର ଏହି ଦୋଷୀଙ୍କ ଜାମିନ ଆବେଦନକୁ ମଧ୍ୟ ବିରୋଧ କରିଥିଲେ ।

ସେହିପରି ଦୋଷୀଙ୍କ ଓକିଲ କହିଥିଲେ ଯେ ଦୋଷୀମାନେ ପୂର୍ବରୁ ହିଁ ୧୭ ବର୍ଷ ଜେଲରେ ଦଣ୍ଡ ଭୋଗି ସାରିଛନ୍ତି । ଗୁଜରାଟ ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ, ଏମାନେ ଗମ୍ଭୀର ଅପରାଧ କରିଥିଲେ । ସେ କହିଥିଲେ ଯେ, ଏମାନେ ନା କେବଳ ଟ୍ରେନ୍ ଉପରେ ପଥର ଫୋପାଡ଼ି ଥିଲେ ବରଂ ବଗିର କବାଟ ମଧ୍ୟ ବନ୍ଦ କରିଦେଇଥିଲେ । ଯାହାଫଳରେ ଲୋକମାନେ ବାହାରକୁ ବାହାରି ନପାରିବେ । ତେଣୁ ଏମାନେ କରିଥିବା ଜଘନ୍ୟ ଅପରାଧ ପାଇଁ ଜାମିନ ପ୍ରଦାନ କରାନଯାଉ ।

ସୂଚନାଥାଉକି, ୨୭ ଫେବ୍ରୁଆରୀ ୨୦୨୨ରେ ଗୋଧରା ରେଲୱେ ଷ୍ଟେସନରେ ଛିଡ଼ାଥିବା ସାବରମତୀ ଏକ୍ସପେସ ଟ୍ରେନର କିଛି ବଗିକୁ ନିଆଁ ଲଗାଇ ଦିଆଯାଇଥିଲା । ଏହି ଘଟଣାରେ ଅଯୋଧ୍ୟାରୁ ଆସୁଥିବା ୫୮ କାରସେବକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଏହାକୁ ନେଇ ଗୁଜରାଟରେ ବଡ଼ଧରଣର ଦଙ୍ଗା ହୋଇଥିଲା । ଟ୍ରେନ ଅଗ୍ନିକାଣ୍ଡର ୩୧ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟ ଦୋଷୀ ସାବ୍ୟସ୍ଥ କରିଥିବା ବେଳେ ୬୩ ଜଣଙ୍କୁ ମୁକ୍ତ କରିଦେଇଥିଲେ । ମୋଟ ୩୧ ଦୋଷୀଙ୍କ ମଧ୍ୟରୁ ୧୧ ଜଣଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିବା ବେଳେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।