ଅତିରିକ୍ତ ତହସିଲଦାରଙ୍କୁ ଟଣାଓଟରା ସହ ମାଡ଼ ଅଭିଯୋଗ
ବଲାଙ୍ଗୀର: ଦେଓଗାଁ ଅତିରିକ୍ତ ତହସିଲଦାର ସୋମକେଶ ନାଏକଙ୍କୁ ଟଣାଓଟରା । ସାର୍ଟର କଲର ଧରି ଟଣାଓଟରା କରାଯାଇଛି । ଏପରିକି ଅଫିସରେ ପଶି ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଛି ।
ଅଭିଯୋଗ ହୋଇଛି, ସେ ଜାତିଗତ ପ୍ରମାଣପତ୍ର ନ ଦେବାରୁ ବିବେକ ମେହେର ନାମକ ଜଣେ ଯୁବକଙ୍କ ଚାକିରି ଗଲା । ବିବେକଙ୍କ ଘର ଦେଓଗାଁ ବ୍ଲକ ସତୀଘାଟ ଗାଁରେ । ସେ ସିଆରପିଏଫରେ ଚାକିରି ପାଇଥିଲେ । କିନ୍ତୁ ଠିକ୍ ସମୟରେ ଜାତିଗତ ପ୍ରମାଣପତ୍ର ଦେଇପାରିଲେ ନାହିଁ । କାରଣ ତହସିଲ ଅଫିସରୁ ସାର୍ଟିଫିକେଟ ମିଳିଲା ନାହିଁ । ସାର୍ଟିଫିକେଟ ଦେଇ ନପାରିବାରୁ ଚାକିରି ଗଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପରିବାର ଓ ଗାଁ ଲୋକେ ତହସିଲ ଅଫିସକୁ ଆସି ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଅତିରିକ୍ତ ତହସିଲଦାର କହିଛନ୍ତି, ମେହେର ସାଙ୍ଗିଆରେ ଉଭୟ କୁଲି ଜାତି ଓ ଭୁଲିଆ ଜାତି ଅଛନ୍ତି । ଏହାକୁ ନେଇ ଦ୍ଵନ୍ଦ୍ଵ ରହିଥିଲା । ଏ ସଂପର୍କରେ ସେ ଅକ୍ଟୋବର ୩୦ ତାରିଖରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ବଲାଙ୍ଗୀର ଜିଲ୍ଲାପାଳ କିନ୍ତୁ କିଛି ଉତ୍ତର ଦେଇ ନଥିଲେ । ତେଣୁ ସାର୍ଟିଫିକେଟ ଦିଆଯାଇପାରି ନଥିଲା । ତାଙ୍କର ଏହି ଉତ୍ତର କିନ୍ତୁ ଲୋକଙ୍କୁ ସନ୍ତୁଷ୍ଟ କରିପାରି ନଥିଲା । ଜଣେ ମହିଳା ତାଙ୍କର ସାର୍ଟ କଲର ଧରି ଟଣା ଓଟରା କରିଛନ୍ତି ।