spot_img

Latest Posts

WHO କହିଲା ଖୁବଶୀଘ୍ର ମିଳିବ ଖୁସି ଖବର,ସମୟ ପୂର୍ବରୁ ଆସିପାରେ କରୋନା ଭ୍ୟାକ୍ସିନ୍

ନୂଆଦିଲ୍ଲୀ: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ଏହି ଭାଇରସ ଯୋଗୁଁ ବିଶ୍ୱରେ ପାଖାପାଖି ତିନି ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଲକ୍ଷରୁ ଅଧିକ ଲୋକେ ଏହି କରୋନା ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱରେ ବୈଜ୍ଞାନିକ ଏବଂ ଡାକ୍ତରମାନେ ଟୀକା ପ୍ରସ୍ତୁତ କରିବା ପାଇଁ ଚେଷ୍ଟା ଚଲାଇଛନ୍ତି, ହେଲେ ଏପର୍ଯ୍ୟନ୍ତ ସଫଳତା ମିଳିନାହିଁ ।

ବର୍ତ୍ତମାନ ଏହି ପର୍ଯ୍ୟାୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଦାବି କରିଛି ଯେ ଖୁବ ଶୀଘ୍ର କରୋନା ଟିକା ପ୍ରସ୍ତୁତ କରାଯିବ। WHO କହିବା ଅନୁସାରେ ସମୟ ପୂର୍ବରୁ ଟିକା ପ୍ରସ୍ତୁତ କରିବାରେ ସଫଳତା ମିଳିପାରେ । WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଏଡନୋମ୍ ସୂଚନା ଦେଇଛନ୍ତି ଯେ, ଖୁବ୍ ଶୀଘ୍ର କରୋନା ଟିକା ପ୍ରସ୍ତୁତ କରାଯିବ।

ଟେଡ୍ରୋସ୍ କହିଛନ୍ତି ଯେ ଭ୍ୟାକ୍ସିନ୍ ତିଆରି ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି। ସମଗ୍ର ବିଶ୍ୱରେ ପ୍ରାୟ ୧୦୦ ଟି ଟିମ୍ ଏହା ଉପରେ କାର୍ଯ୍ୟ କରୁଛନ୍ତି। ଏଥିମଧ୍ୟରୁ ୭ ରୁ ୮ ଟି ଟିମ୍ ଭ୍ୟାକ୍ସିନ ତିଆରିର ଅତି ନିକଟତର ଅଛନ୍ତି । ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ଏକ ଭଲ ଖବର ମିଳିପାରେ । ଦୁଇମାସ ପୂର୍ବେ ଅନୁମାନ କରାଯାଇଥିଲା ଯେ, ଭ୍ୟାକ୍ସିନ୍ ତିଆରି କରିବାକୁ ୧୨ ରୁ ୧୮ ମାସ ସମୟ ଲାଗିପାରେ, କିନ୍ତୁ ବର୍ତ୍ତମାନ ଏହା ଲାଗୁଛି ଯେ, ଖୁବ ଶୀଘ୍ର ଟିକା ପ୍ରସ୍ତୁତ କରାଯାଇପାରିବ ।

WHO ମୁଖ୍ୟ ଟେଡ୍ରୋସ୍ କହିଛନ୍ତି ଯେ, ତାଙ୍କପାଖରେ ଅର୍ଥର ଅଭାବ ରହିଛି। ଭ୍ୟାକ୍ସିନ୍ ଗବେଷଣା ଏବଂ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ଅର୍ଥ ନାହିଁ । ସେ କହିଛନ୍ତି ଯେ ଗବେଷଣା ପାଇଁ ପ୍ରାୟ ୮ ବିଲିୟନ ଡଲାର ସଂଗ୍ରହ କରାଯାଇଛି । କିନ୍ତୁ ଏଥିପାଇଁ ୮ ବିଲିୟନ ଡଲାର କିଛି ଅଧିକ ନୁହେଁ। ଏଥିପାଇଁ ଅଧିକ ଅର୍ଥ ଦରକାର। ଯଦି ଠିକ୍ ସମୟରେ ଆର୍ଥିକ ସହାୟତା ନମିଳେ, ତାହେଲେ ଟିକା ପ୍ରସ୍ତୁତ କରିବାରେ ବିଳମ୍ବ ହୋଇପାରେ ।

ଟେଡ୍ରୋସ କହିଛନ୍ତି ଯେ, ଟିକା ତିଆରି ହେବା ପରେ ପ୍ରତ୍ୟେକ ଦେଶକୁ ଏହା ଯୋଗାଇ ଦିଆଯିବ। ତେବେ କେଉଁ ଦେଶର ଡାକ୍ତର ଓ ବୈଜ୍ଞାନିକ କରୋନା ଟିକା ତିଆରିର ନିକଟତର ଅଛନ୍ତି, ସେହି ବିଷୟରେ WHO ମୁଖ୍ୟ କହି ନାହାଁନ୍ତି। ଟେଡ୍ରୋସଙ୍କ କହିବା ଅନୁସାରେ, ଗତ କିଛି ମାସରୁ ଅଧିକାଂଶ ଟିକା ପଶୁମାନଙ୍କ ଉପରେ ପରୀକ୍ଷା କରାଯାଇଛି ।  ଏହା ସହ କେତେକ ମଣିଷ ଉପରେ ମଧ୍ୟ ଏହାର ପରୀକ୍ଷା ଆରମ୍ଭ କରାଯାଇଛି । ପ୍ରାୟ ୪୦୦ ବୈଜ୍ଞାନିକଙ୍କ ଏକ ଟିମ୍ ଏହି କାର୍ଯ୍ୟ ଉପରେ ନଜର ରଖିଛନ୍ତି।

 

 

 

 

Latest Posts

Don't Miss