କେନ୍ଦ୍ରର ଆଉ ଏକ ସାର୍ଟିଫିକେଟ୍‌: ବେକାରୀ ହ୍ରାସରେ ଓଡ଼ିଶା ଦେଶରେ ଆଗରେ

1 min read

ଭୁବନେଶ୍ବର: କମୁଛି ବେକାରୀ, ବଢୁଛି ନିଯୁକ୍ତି । ବେକାରୀ ହ୍ରାସରେ ଓଡ଼ିଶା ସାରା ଦେଶରେ ଆଗରେ । କେନ୍ଦ୍ର ସରକାରଙ୍କ ନିୟମିତ ଶ୍ରମଶକ୍ତି ସର୍ଭେ ପିଏଲ୍ଏଫ୍ଏସ୍ ଅନୁସାରେ ୨୦୨୩ ଏପ୍ରିଲ୍-ଜୁନ ମାସ ମଧ୍ୟରେ ଓଡ଼ିଶାର ସହରାଞ୍ଚଳରେ ବେକାରୀ ହାର ୬.୭ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଶ୍ରମଶକ୍ତିରେ ଯୋଗଦାନ ହାର ବର୍ଷକ ମଧ୍ୟରେ ୫୭.୨ରୁ ୭୧.୨ ପ୍ରତିଶତକୁ ବୃଦ୍ଧି ପାଇଛି । କେନ୍ଦ୍ର ସର୍ଭେ ରିପୋର୍ଟ ଆସିବା ପରେ ଯାହା ସତ୍ୟ, ତାହା ପୂରା ଦେଶ ସ୍ବୀକାର କରିଥିବା କହିଛି ବିଜେଡି । ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କ ଯୋଗୁଁ ସମ୍ଭବ ହୋଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଓଡ଼ିଶାକୁ କେନ୍ଦ୍ରର ଆଉ ଏକ ସାର୍ଟିଫିକେଟ୍‌ । ଓଡ଼ିଶାରେ କମିଛି ବେକାରୀ । ଓଡ଼ିଶାରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି ବେକାରୀ । ବଡ଼ବଡ଼ ରାଜ୍ୟଙ୍କୁ ପଛରେ ପକାଇଛି ଓଡ଼ିଶା । ରୂପାନ୍ତରଣ ପଥରେ ଓଡ଼ିଶା ଆଗକୁ ଚାଲିଛି । ଆର୍ଥିକ ପରିଚାଳନାରେ ସଶକ୍ତ ହେବା ଓ ମୁଣ୍ଡପିଛା ଋଣ କମିବା ସହ ଦ୍ରୁତଗତିରେ ହ୍ରାସ ପାଇଛି ବେକାରୀ । ୨୦୨୩ ଏପ୍ରିଲ୍-ଜୁନ ମାସ ମଧ୍ୟରେ ଓଡ଼ିଶାର ସହରାଞ୍ଚଳରେ ବେକାରୀ ହାର ସବୁ ବୟସ ବର୍ଗରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି । ଗତବର୍ଷ ଏହି ସମୟରେ ଏହା ୧୧.୫ ପ୍ରତିଶତ ଥିଲା । ମହିଳାଙ୍କ କ୍ଷେତ୍ରରେ ବେକାରୀ ହାର ବର୍ଷକ ମଧ୍ୟରେ ୧୭.୬ ପ୍ରତିଶତରୁ ୮.୫ ପ୍ରତିଶତକୁ ହ୍ରାସ ପାଇଛି । ପୁରୁଷଙ୍କ କ୍ଷେତ୍ରରେ ଏହା ୧୦ ପ୍ରତିଶତରୁ ୬.୨ ପ୍ରତିଶତକୁ ହ୍ରାସ ପାଇଛି । ଶ୍ରମଶକ୍ତିରେ ଯୋଗଦାନ ହାର ୧୫ରୁ ୨୯ ବର୍ଷ ବୟସ ବର୍ଗର ପୁରୁଷଙ୍କ କ୍ଷେତ୍ରରେ ୨୦୨୨ ଏପ୍ରିଲ୍ -ଜୁନରୁ ୨୦୨୩ ଏପ୍ରିଲ୍ ଜୁନ୍ ମଧ୍ୟରେ  ୫୭.୨ ପ୍ରତିଶତରୁ ୭୧.୨ ପ୍ରତିଶତକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଆର୍ଥିକ ପରିଚାଳନାରେ ପୂରା ଦେଶକୁ ବାଟ ଦେଖାଇଥିବା ବେଳେ ଏବେ ବେକାରୀ ହ୍ରାସରେ ନୂଆ ରେକର୍ଡ କରିଛି ।

କ୍ରମାଗତ ଭାବେ ଓଡ଼ିଶାରେ ବେକାରୀ କମୁଛି । ଶିଳ୍ପାୟନରେ ନୂଆ ଅଧ୍ୟାୟ ଆରମ୍ଭ ହେବା ସହ ବିଦେଶୀ ପୁଞ୍ଜିନିବେଶରେ ଦେଶର ତୃତୀୟ ସ୍ଥାନରେ ରହିଛି ଓଡ଼ିଶା । ଓଡ଼ିଶା ଆଇଟି ହବରେ ପରିଣତ ହେଉଛି । ବିଭିନ୍ନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହୋଇଥିବାରୁ ଅଧିକ ଯୁବକ ଯୁବତୀ ଆତ୍ମନିର୍ଭରଶୀଳ ହେଉଛନ୍ତି । ଆଗକୁ ସବୁ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛି ବିଜେଡି ।

ବେକାରୀ ସମସ୍ୟା ସାରା ଦେଶ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଓଡ଼ିଶାରେ ଏହା ଦ୍ରୁତଗତିରେ କମି ରାଜ୍ୟକୁ ସ୍ବତନ୍ତ୍ର ପରିଚୟ ଦେଇଛି । ଆଗକୁ ଦକ୍ଷତା ବିକାଶ ଦ୍ବାରା ହଜାର ହଜାର ଯୁବକ ଯୁବତୀ ରୋଜଗାର ପାଇବେ ।