ଦୁଇ ଦୁର୍ଘଟଣାରେ ଦୁଇ ମୃତ, ୪ ଗୁରୁତର

1 min read

ଭୁବନେଶ୍ବର: ରାଜ୍ୟର ଦୁଇଟି ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା । ପୃଥକ ପୃଥକ ସ୍ଥାନରେ ହୋଇଥିବା ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ର ପୁର ଛକ ନିକଟରେ ପିକଅପ୍ ଭ୍ୟାନକୁ ଟ୍ରକ୍ ଧକ୍କା ଦେବାରୁ ଜଣଙ୍କ ମୃତ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଚାନ୍ଦପୁର ଥାନା କୁକୁଡା ଝରି ଗାଁର କାଳିଆ ତାଡ଼ । କୁକୁଡାଝରି ଗାଁର ୫ ଜଣ ନିର୍ମାଣ ଶ୍ରମିକ ଢଳେଇ କାମ କରିବା ପାଇଁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଖବର ପାଇ ଚାନ୍ଦପୁର ପୋଲିସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସମାନ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଥିବା ବେଳେ ପ୍ରଶାସନର ନିଘା ନଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ସ୍ଥଳରେ ଓଭର ବ୍ରିଜ୍ ନିର୍ମାଣ କରିବାକୁ ଦାବି ହୋଇଛି । ଟାୟାର ଜାଳି ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଛନ୍ତି । ଉଭୟ କଡ଼ରେ ଶହ ଶହ ଗାଡି ଅଟକି ରହିଛି । ଆନ୍ଦୋଳନକାରୀଙ୍କୁ ପୋଲିସର ବୁଝାସୁଝା କରୁଛି ।

ସେହିପରି ଜଗତସିଂହପୁର-କଟକ ରାସ୍ତାର ତରିକୁନ୍ଦ ଫାଣ୍ଡି ନିକଟ ଧନିପୁର ଛକରେ ଘଟିଛି ଦୁର୍ଘଟଣା । ବୁଲେଟ ସହ ହାଇଓ୍ବାର ହୋଇଛି ମୁହାଁମୁହିଁ ଧକ୍କା । ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି । କୁହୁଡି ଯୋଗୁଁ ରାସ୍ତା ଭଲ ଭାବରେ ଦେଖା ନଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅନ୍ୟ ଜଣେ ଗୁରୁତରଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।