ରାଉରକେଲା ଇସ୍ପାତ କାରଖାନାରେ ବଢୁଛି ଦୁର୍ଘଟଣା

1 min read

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାରେ ବଢୁଛି ଦୁର୍ଘଟଣା । ଅସାବଧାନତା ହେଉ କି ଢିଲା ସୁରକ୍ଷା, ଆହତ ହେଉଛନ୍ତି ଶ୍ରମିକ । ଉତ୍ତପ୍ତ ଲୁହା ପଡ଼ି ଗୁରୁତର ହେଉଛନ୍ତି କର୍ମଚାରୀ । କନଭର୍ଟର ତଳେ ପାଣି ଜମି ରହିଥିଲେ ଵ୍ଲୋ ବନ୍ଦ କରିବାକୁ ସୂଚନା ଫଳକ ଲାଗିଥିଲେ ସୁଦ୍ଧା ପାଣିରେ ଉତ୍ତପ୍ତ ଲୁହା ପିଣ୍ଡୁଳା ପଡି ବିସ୍ଫୋରଣ ହେଉଛି । ସଠିକ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ପାଣି ଲିକେଜ ହୋଇ ତଳେ ଜମି ରହୁଛି । ଫଳରେ ବିସ୍ଫୋରଣ ହେଉଥିବା ଅଭିଯୋଗ ହୋଇଛି । ସୁରକ୍ଷା ନିୟମ ପାଳନ ହୋଇନଥିବାରୁ ଶନିବାର ଦିନ SMS-1 ଅଘଟଣ ଘଟି ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜର, ୩ ଜଣ ସ୍ଥାୟୀ କର୍ମଚାରୀ ଓ ଜଣେ ଠିକା କର୍ମଚାରୀ ଅଛନ୍ତି । କାରଖାନାର ଚିଫ ଜେନେରାଲ ମ୍ୟାନେଜରଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଟିମ ତଦନ୍ତ ଆରମ୍ଭ କରିଥିବାବେଳେ ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ପାଇଁ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ଗତ ଜୁଲାଇ ମାସରେ ବ୍ଲାଷ୍ଟ ଫର୍ଣ୍ଣେସ-୫ ରେ ଗ୍ୟାସ ଲିକ ହୋଇ ୯ ଜଣ  ଆହତ ହୋଇଥିଲେ । ମରାମତି କାର୍ଯ୍ୟ ଚାଲିଥିବା ବେଳେ ଗ୍ୟାସ ଲିକ ହୋଇ ଜଣେ ଅଫିସରଙ୍କ ସହ ମୋଟ ୯ ଜଣ ଆହତ ହୋଇଥିଲେ । ଅନଭିଜ୍ଞ ଠିକା ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାନଯାଇ କେଵଳ ଅଧିକ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯାଉଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଥିବା ବିଭିନ୍ନ ଶ୍ରମିକ ସଂଗଠନ ଅଭିଯୋଗ କରିଛନ୍ତି । ସେପଟେ ଅଘଟଣ ପରେ ଆହତଙ୍କ ଉପଯୁକ୍ତ ଚିକିତ୍ସା ସହ ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କାରଖାନା କର୍ତ୍ତୃପକ୍ଷ ।