ଜଳଖିଆ ଦୋକାନ ଉପରେ ମାଡ଼ିଗଲା ଟ୍ରଲର

ପାରାଦୀପ: ରାସ୍ତା କଡ଼ରେ ଥିବା ଜଳଖିଆ ଦୋକାନ ଉପରେ ମାଡ଼ିଗଲା ଟ୍ରଲର । ସୌଭାଗ୍ୟ ବଶତଃ ଦୁର୍ଘଟଣାରେ କୌଣସି ଜୀବନ ହାନୀ ହୋଇ ନଥିଲେ ବି ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଦୁର୍ଘଟଣାର ଶିକର ଜଳଖିଆ ଦୋକାନଟି ଜଣେ ଦିବ୍ୟାଙ୍କ ବ୍ୟକ୍ତିର ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଘଟିଛି ୫୩ ନମ୍ବର ଜାତୀୟ ରାଜପଥର ମାର୍ଶାଘାଇ ବଉଦ ଛକରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଜଳଖିଆ ଦୋକାନ ଉପରକୁ ଏକ ୧୪ ଚକିଆ ଟ୍ରଲର ମାଡ଼ି ଯାଇଛି । ଦୋକାନଟି ଜୟଚନ୍ଦ୍ରପୁର ପଞ୍ଚାୟତ ବଡଗାଁର ଦିବ୍ୟାଙ୍ଗ ଦଇତାରୀ ସାହୁଙ୍କର ବୋଲି ଜଣାପଡିଛି ।

ଆଜି ସକାଳ ଜଳଖିଆ ପ୍ରସ୍ତୁତି ସମୟରେ ପାରାଦୀପରୁ ଚଣ୍ଡିଖୋଲ ଯାଉଥିବା ୧୪ ଚକିଆ ଟ୍ରଲରଟି ଭାରସାମ୍ଯ ହରାଇ ଜଳଖିଆ ଦୋକାନ ଆଡକୁ ମାଡି ଯାଇଥିଲା । ତେବେ ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ବେଳେ ଦୋକାନ ଭିତରେ ଥିବା ଜିନିଷ ନଷ୍ଟ ହୋଇଯାଇଛି । ଘଟଣା ସ୍ଥଳରେ ମାର୍ଶାଘାଇ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦୀର୍ଘଦିନ ହେବ ବଉଦ ଛକ କଡରେ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ ଦଇତାରୀ । ଏବେ ଦୁର୍ଘଟଣାରେ ଆସବାବପତ୍ର ନଷ୍ଟ ହୋଇଯାଇଥିବାରୁ ସେ କେମିତି ଦୋକାନ ଚଲାଇବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ।