ଗଞ୍ଜାମ ତାରାତାରିଣୀ ନିକଟରେ ଦୁର୍ଘଟଣା, ଭକ୍ତଙ୍କୁ ନେଇ ଫେରୁଥିବା ବେଳେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ଦୁର୍ଘଟଣା । ଯାତ୍ରୀବାହୀ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ୨ ଗୁରୁତର ହେଲେ ଟ୍ରକ ଡ୍ରାଇଭର ଓ ଜଣେ ବସ୍ ଯାତ୍ରୀ । ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ୫ ଜଣ ଯାତ୍ରୀଙ୍କୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲସରାର କିଛି ବ୍ୟକ୍ତି ତାରାତାରିଣୀଙ୍କ ଦର୍ଶନ କରି ଫେରୁଥିବା ବେଳେ ରାସ୍ତାରେ ବିପରୀତ ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପୁରୁଷୋତ୍ତମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି । ସେପଟେ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।