ବିଷାକ୍ତ ହେଲା ମଧ୍ୟାହ୍ନ ଭୋଜନ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

1 min read

ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ପିଲାଏ ହସଖୁସିରେ ମଧ୍ୟାହ୍ନ ଭୋଜନ ଖାଉଥିଲେ । ହଠାତ୍ କିଛି ପିଲା ଖାଦ୍ୟରେ ଝିଟିପିଟି ପଡ଼ିଥିବା ଦେଖିଥିଲେ । କିନ୍ତୁ, ସେତେବେଳକୁ କିଛି ପିଲା ମଧ୍ୟାହ୍ନ ଭୋଜନ ଖାଇ ସାରିଥିଲେ । ଝିଟିପିଟି ପଡ଼ିଥିବା ଦେଖିବା ପରେ ଆଉ ଛାତ୍ରଛାତ୍ରୀ ମାନେ ଖାଦ୍ୟ ଖାଇନଥିଲେ । କିନ୍ତୁ, ଖାଦ୍ୟ ଖାଇଥିବା ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ ।

Bhadrak Students in Medical

ସେମାନଙ୍କ ପେଟ କାଟିବା ସହ ମୁଣ୍ଡ ବୁଲାଇଥିଲା । ଅଭିଭାବକ ପିଲାମାନଙ୍କୁ ଆଣି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମେଡିକାଲରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତେବେ, ଛାତ୍ରଛାତ୍ରୀ ଅସୁସ୍ଥ ହେବା ପରେ ପ୍ରଧାନଶିକ୍ଷକ ପିଲାଙ୍କୁ ମେଡିକାଲ ନେବା ପରିବର୍ତ୍ତେ ସ୍କୁଲ ଛୁଟି କରି ପଳାଇଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ଏନେଇ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ମେଡିକାଲ ଯାଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ')}

Leave a Reply