ଶ୍ରୀମନ୍ଦିର ଚୌହଦୀ କହିବ ଜୟ ଜଗନ୍ନାଥ: ଝଟକିବ ଓଡ଼ିଆ ଐତିହ୍ୟ ଓ ସଂସ୍କୃତି

1 min read

ଭୁବନେଶ୍ୱର: ଶ୍ରୀମନ୍ଦିର ଚୌହଦୀ କହିବ ଜୟ ଜଗନ୍ନାଥ । ଗାଇବ ଶ୍ରୀଜଗନ୍ନାଥଙ୍କ ଗାଥା । ଜଗନ୍ନାଥ ସଂସ୍କୃତିର କାହାଣୀ ରଖିବ ବିଶ୍ୱବାସୀଙ୍କ ଆଗରେ । ଚୌହଦୀର ପ୍ରତିଟି କାରୁକାର୍ଯ୍ୟରେ ଝଲସିବ ଓଡ଼ିଆ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ଛାପ । ଜଗନ୍ନାଥଙ୍କ ଲୀଳା, ଭକ୍ତ-ଭଗବାନ ସମ୍ପର୍କ,  ପୁରାଣ ଓ କିମ୍ବଦନ୍ତୀ କାହାଣୀର ଚିତ୍ର ଟାଣିବ ସାରା ବିଶ୍ୱର ନଜର । ଜଗନ୍ନାଥ ସଂସ୍କୃତିକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏ ବ୍ଲୁ ପ୍ରିଣ୍ଟ ସାକାର ହେବାକୁ ଯାଉଛି । ଆଜି ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଶିଳା ସ୍ଥାପନ କରିଥିବା ବେଳେ ଯଜ୍ଞରେ ପୂର୍ଣ୍ଣାହୂତି ଦେଇଛନ୍ତି ଗଜପତି ମହାରାଜା । । ଏ ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ସହ ମନ୍ତ୍ରୀ, ସାଂସଦ, ବିଧାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପରିକ୍ରମା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮୦୦ କୋଟି ।

ପୁରୀ ପାଲଟିବ ବିଶ୍ୱ ଐତିହ୍ୟ ନଗରୀ । ଭାବେ ଗଢ଼ି ତୋଳିବା ପାଇଁ ସରକାର ଭଣ୍ଡାର ଖୋଲି ଦେଇଛନ୍ତି । ପୁରୀ ପାଇଁ ପ୍ରସ୍ତୁତ ହୋଇଛି ମେଗା ଯୋଜନା ।  ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଚାରିପାଖରେ ମେଘନାଦ ପାଚେରିଠାରୁ ୭୫ ମିଟର ପର୍ଯ୍ୟନ୍ତ ଜାଗାକୁ ଅବରୋଧମୁକ୍ତ କରାଯାଇଛି । ନୂଆ ରୂପ ପାଇବ ଶ୍ରୀମନ୍ଦିର ଚୌହଦୀ । ପୂର୍ବ ପାର୍ଶ୍ୱ (ସିଂହଦାର ପାର୍ଶ୍ୱ) ବାଦ ଦେଇ ବାକି ତିନି ପାର୍ଶ୍ୱେର ଏମିତି ସୌନ୍ଦର୍ଯ୍ୟକରଣ କରାଯିବ, ଦେଖିଲେ ଆତ୍ମ ସନ୍ତୋଷଭରା ନିଆରା ଅନୁଭୂତି ମିଳିବ । ୭୫ ମିଟର ମଧ୍ୟରୁ ମେଘନାଦ ପାଚେରିରୁ ୬୦ ମିଟର ପର୍ଯ୍ୟନ୍ତ ନିର୍ମାଣ ହେବ ପରିକ୍ରମା । ଗାଡ଼ିମୋଟର ଚଳାଚଳ ପାଇଁ ୧୫ ମିଟର ରାସ୍ତା ଛଡ଼ାଯିବ । ବିଶ୍ୱ ଦରବାରରେ ଶ୍ରୀମନ୍ଦିର ଆହୁରି ଆକର୍ଷଣୀୟ ହୋଇ ଝଲସିବ ।

ପରିକ୍ରମା କେବଳ ଚଲାପଥ ପାଇଁ ବ୍ୟବହାର ହେବ । ଭକ୍ତମାନେ ଏହି ପରିକ୍ରମା ଦେଇ ଶ୍ରୀମନ୍ଦିରର ମେଘନାଦ ପାଚେରି କଡ଼େ କଡ଼େ ବୁଲିବେ । ସମସ୍ତ ଦ୍ୱାରରେ ଦାନ ଓ ସୂଚନା କେନ୍ଦ୍ର ରହିବ । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଏଟିଏମ୍, ପାନୀୟ ଜଳ ସୁବିଧା ରହିବ । ଶ୍ରଦ୍ଧାଳୁଙ୍କ ପାଇଁ ରହଣୀସ୍ଥଳ ସହ ଅଭ୍ୟର୍ଥନା ପ୍ରକୋଷ୍ଠ ରହିବ । ଶ୍ରଦ୍ଧାଳୁଙ୍କ ଆକର୍ଷିତ କରିବା ପାଇଁ ସେଠି ପଥରର କାରୁକାର୍ଯ୍ୟ, ମୂର୍ତ୍ତି ନିର୍ମାଣ କରାଯିବ । ପଥର ମୂର୍ତ୍ତି ଓଡ଼ିଶାର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ବାର୍ତ୍ତାବହ ହେବ । ଆମ ପଟ୍ଟଚିତ୍ରର ନିଦର୍ଶନ ରହିବ ପରିକ୍ରମାରେ । ବିଶ୍ୱପ୍ରସିଦ୍ଧ ଓଡ଼ିଶୀ ନୃତ୍ୟର ଝଲକ ଦେଖିବାକୁ ମିଳିବ କାରୁକାର୍ଯ୍ୟରେ ।

ସବୁଜିମା ବି ରହିବ । ପରିବେଶକୁ ସୌନ୍ଦର୍ଯ୍ୟମୟ କରିବା ପାଇଁ ଘାସ ଗାଲିଚା ଓ ଫାଉଣ୍ଟେନ ରହିବ । ଜଗନ୍ନାଥଙ୍କ ସେବା ଓ ପଜାରେ ଲାଗୁଥିବା ଫୁଲ ଏବଂ ଔଷଧୀୟ ଉଦ୍ୟାନ ମଧ୍ୟ ରହିବ । ତୁଳସୀ ବଚିଚା ପାଇଁ ମଧ୍ୟ ପ୍ରକଳ୍ପରେ ସ୍ଥାନ ରଖାଯାଇଛି । ବୟସ୍କ, ମହିଳା, ଶିଶୁ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପରିକ୍ରମାରେ  କିଛି ସମୟ ବିଶ୍ରାମ ଲାଗି ବସିବାର ବ୍ୟବସ୍ଥା ରଖାଯିବ । ଭକ୍ତମାନେ ଯେତେ ସମୟ ଚାହିଁବେ ଚୌହଦୀରେ ବସି ରହି ଜଗନ୍ନାଥ ମହିମାରେ ତଲୀନ ହେବେ । ଭଜନ କୀର୍ତ୍ତନ କରିବେ । ଭକ୍ତି-ଶ୍ରଦ୍ଧାର ଅପୂର୍ବ ସମନ୍ୱୟର ସମାହାର ଦେଖିବେ ଶ୍ରଦ୍ଧାଳୁ ।

କେବଳ ଦିନବେଳା ନୁହେଁ, ରାତିରେ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା କରିପାରିବେ ଶ୍ରଦ୍ଧାଳୁ । ସେଥିପାଇଁ ଅର୍ନାମେଣ୍ଟାଲ ଷ୍ଟ୍ରିଟ୍ ଲାଇଟ୍ ଲାଗିବ । ଅଗଣିତ ଭକ୍ତଙ୍କ ପାଦ ଧୂଆ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ସବୁଠୁ ବଡ଼ କଥା ହେଲା, ଶ୍ରୀମନ୍ଦିର ଭିତରକୁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ଥିବାବେଳେ ଏହି ବ୍ୟବସ୍ଥା ଦ୍ୱାରା ମନ୍ଦିର ଚାରପାଖେ ପରିକ୍ରମା କରିପାରିବେ । ଏହାଦ୍ୱାରା ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ବାବଦରେ ସାରା ବିଶ୍ୱ ଆହୁରି ଅଧିକ ଜାଣିପାରିବ । ଏପରିକି ଭକ୍ତମାନଙ୍କୁ ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବୁଝାଇବା ପାଇଁ ପରିକ୍ରମାରେ ସ୍ୱତନ୍ତ୍ର ଗାଇଡ୍ ରଖିବା ପ୍ରସ୍ତାବ ଉପରେ ବିଚାର ବିମର୍ଶ କରାଯାଉଛି । ତେବେ ପରିକ୍ରମାର ୬୦ ମିଟର ଏକ କରିଡର ଭଳି ରହିବ । ଏହା ଭିତରକୁ ପ୍ରବେଶ କରିବାବେଳେ କଡ଼ା ଯାଞ୍ଚ୍ କରାଯିବ । ପରିକ୍ରମା ପ୍ରକଳ୍ପକୁ ଛାଡ଼ି ଗୁରୁତ୍ୱପୂର୍ଣ୍ଣ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ଶ୍ରଦ୍ଧାଳୁ କେନ୍ଦ୍ର, ବହୁତଳ ପାର୍କିଂ, ମ୍ୟୁନିସିପଲିଟି ମାର୍କେଟର ନବୀକରଣ ପାଇଁ ରାଜ୍ୟ ସରକାର କାମ ହାତକୁ ନେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Leave a Reply