ସଲମାନ ଓ ପରିବାର ବିଷଧର ସାପ,ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଅଭିନବଙ୍କ ବିସ୍ଫୋରକ ଦାବି

1 min read

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଭାଇ ତଥା ଦବଙ୍ଗ-୧ର ନିର୍ଦ୍ଦେଶକ ଅଭିନବ ସିଂହ କଶ୍ୟପ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ନିରପେକ୍ଷ ତଦନ୍ତ କରିବାକୁ  ଦାବି କରିଛନ୍ତି ।  ସେ ଏହି ପ୍ରସଙ୍ଗକୁ ନେଇ ଫେସବୁକରେ ଗୋଟିଏ ଲମ୍ବା ଚଉଡା ପୋଷ୍ଟ ମଧ୍ୟ ଲେଖିଛନ୍ତି । ତାଙ୍କ ପୋଷ୍ଟକୁ ପୋଲିସ୍ ଷ୍ଟେଟମେଣ୍ଟ୍ ହିସାବରେ ନେବାକୁ ସେ କହିଛନ୍ତି ।

ଅଭିନବଙ୍କ ଅଭିଯୋଗ

ଅଭିନବ ଅଭିଯୋଗ କରିଛନ୍ତି ଯେ, ବଲିଉଡରେ ମୁଭି ମାଫିଆ ସକ୍ରିୟ ଅଛି । ବଲିଉଡରେ କେବଳ ଇନସାଇଡରଙ୍କୁ କାମ ମିଳେ ଟ୍ୟାଲେଣ୍ଟ୍ ଥିଲେ ମଧ୍ୟ ଆଉଟସାଇଡରଙ୍କୁ କାମ ମିଳେନାହିଁ କିମ୍ବ ମିଳିଲେ ମଧ୍ୟ ସେମାନଙ୍କୁ ବାରମ୍ବାର ଅପମାନିତ କରାଯାଇଥାଏ । ନିଜ ଅନୁଭବକୁ ସେୟାର କରି ଏଥିପାଇଁ ସେ ସଲମାନ ଖାନଙ୍କ ପରିବାର ଓ ୟଶରାଜ୍ ଫିଲ୍ମକୁ ଦାୟୀ କରିଛନ୍ତି ।

https://www.facebook.com/askashyap/posts/10158865186991844

ୟଶରାଜ୍ ଫିଲ୍ମ ବିରୋଧରେ ସଂଗୀନ ଅଭିଯୋଗ

ଅଭିନବଙ୍କ ଅନୁସାରେ ୟଶରାଜ ଫିଲ୍ମ ଓ ଏହାର ଟ୍ୟାଲେଣ୍ଟ୍ ଏଜେନ୍ସି ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥାଇ ପାରେ । ଏହାର ତଦନ୍ତ ହେବା ଆବଶ୍ୟକ । ଅଭିନବ ଅଭିଯୋଗ କରିଛନ୍ତି ଯେ,ଏମାନେ କ୍ୟାରିୟର ତିଆରି କରନ୍ତି ନାହିଁ କ୍ୟାରିୟର ଓ ଜୀବନ ନଷ୍ଟ କରନ୍ତି । ନିଜ ଏକ ଦଶକର ଅନୁଭବକୁ ସେୟାର କରି ସେ କହିଛନ୍ତି ଯେ, ଟ୍ୟାଲେଣ୍ଟ୍ ଏଜେନ୍ସୀ କଳାକାରଙ୍କୁ ମୃତ୍ୟୁ ଜାଲରେ ଫସାଇଥାନ୍ତି । ସେମାନେ ବଲିଉଡର ବଡ ପରିବାର ବାହାରୁ ଆସୁଥିବା କଳାକାରଙ୍କୁ ପ୍ରଥମେ ଫଶାନ୍ତି । ପରେ ସେମାନଙ୍କୁ ବିଭିନ୍ନ ପାର୍ଟିକୁ ନିମନ୍ତ୍ରଣ କରି ଅପମାନିତ କରନ୍ତି । ନୂଆ କଳାକାରଙ୍କ ଆତ୍ମବିଶ୍ୱାସକୁ ଏହିଭଳି ସେମାନେ ଭାଙ୍ଗି ଦିଅନ୍ତି ।

ସଲମାନଙ୍କ ପରିବାରକୁ କହିଲେ ବିଷଧର ସାପ

ୟଶରାଜ ଫିଲ୍ମସ ପରେ ଅଭିନବଙ୍କ ଟାର୍ଗେଟରେ ଥିଲେ ସଲମାନଙ୍କ ପରିବାର । ଅଭିନବଙ୍କ ଅନୁସାରେ ବଲିଉଡର କିଛି ପରିବାର ବାହାର ଟ୍ୟାଲେଣ୍ଟକୁ ଉପରକୁ ଉଠିବାକୁ ଦିଅନ୍ତି ନାହିଁ । ସେମାନଙ୍କ ମଧ୍ୟରେ ମୁଖ୍ୟ ହେଉଛି ସଲମାନଙ୍କ ପରିବାର । ସଲମାନ ଓ ତାଙ୍କ ବାପା ତଥା ଭାଇଙ୍କ ନାମ ନେଇ ଅଭିନବ ଲେଖିଛନ୍ତି ଯେ, ଏହି ପରିବାର ପାଇଁ ଅନେକ ଟ୍ୟାଲେଣ୍ଟ୍ ନଷ୍ଟ ହୋଇଛି । ନିଜ ଅନୁଭବ ସେୟାର କରି ସେ କହିଛନ୍ତି ଯେ, ଦବଙ୍ଗ-୨ ସମୟରେ ସଲମାନ୍ ଓ ଅରବାଜ୍ ତାଙ୍କ କ୍ୟାରିୟରକୁ ନିୟନ୍ତ୍ରିତ କରିବାକୁ ଚାହୁଁଥିଲେ । ସେ ଅମଙ୍ଗ ହେବାରୁ ତାଙ୍କୁ ଫିଲ୍ମ ଛାଡିବାକୁ ପଡିଥିଲା । ସଲମାନଙ୍କ ପରିବାର ପାଇଁ ତାଙ୍କୁ ଅଷ୍ଟବିନାୟକ ପ୍ରଡକ୍ସନର ଫିଲ୍ମରୁ ମଧ୍ୟ ତଡା ଖାଇବାକୁ ପଡିଥିଲା ବୋଲି ସେ କହିଛନ୍ତି । ଅଭିନବଙ୍କ ଅନୁସାରେ ଅଷ୍ଟବିନାୟକ ଉପରେ ତାଙ୍କୁ ଫିଲ୍ମରୁ ବାହାର କରିବା ପାଇଁ ଚାପ ପଡିଥିଲା । ଶେଷକୁ ତାଙ୍କୁ ଫିଲ୍ମର ସାଇନିଂ ଆମାଉଣ୍ଟ ମଧ୍ୟ ଫେରାଇବାକୁ ପଡିଥିଲା । ୭ କୋଟି ସାଇନିଂ ଆମାଉଣ୍ଟ ସହ ୯୦ ଲକ୍ଷ ଟଙ୍କା ସୁଧ ହିସାବରେ ତାଙ୍କୁ ଦେବାକୁ ପଡିଥିଲା ବୋଲି ସେ ପୋଷ୍ଟରେ ଲେଖିଛନ୍ତି ।

ବେଶରମ ଫିଲ୍ମକୁ ଫ୍ଲପ୍ କରିବା ପାଇଁ ସଲମାନ କ୍ୟାମ୍ପ ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ଏହି ଫିଲ୍ମର ସାଟେଲାଇଟ୍ ରାଇଟ୍ ଯେପରି କେହି ନିଅନ୍ତି ନାହିଁ ସେଥିପାଇଁ ସଲମାନଙ୍କ ପରିବାର ବହୁତ ଉଦ୍ୟମ କରିଥିଲେ । କିନ୍ତୁ ରିଲାଏନ୍ସ ଓ ଜି ମଧ୍ୟରେ ବୁଝାମଣା ହୋଇଥିଲା ।

ମୋ ପରିବାର ସଦସ୍ୟଙ୍କୁ ବଳାତ୍କାର ଧମକ ମିଳୁଛି

ଅଭିନବଙ୍କ ଅନୁସାରେ ତାଙ୍କ ପରିବାରର ମହିଳା ସଦସ୍ୟଙ୍କୁ ବଳାତ୍କାର ଧମକ ଦିଆଯାଉଛି । ଏନେଇ ସେ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି କିନ୍ତୁ ତଦନ୍ତ ଆଗଉ ନାହିଁ ।  ଅଭିନବଙ୍କ ଏହି ପୋଷ୍ଟ ପରେ ତାଙ୍କ ସୁରକ୍ଷାକୁ ନେଇ ଅନେକ ଫ୍ୟାନ୍ସ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଅଭିନବ ଅନ୍ୟଏକ ପୋଷ୍ଟରେ ସେ ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି । ତାଙ୍କୁ ଅଲଗା ଅଲଗା ନମ୍ବରରୁ ସୋହେଲ ଖାନ୍ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।ବିବେକ ଓବରୟ ଓ କଙ୍ଗନା ରନାୱତ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ଅଭିନବ ସମର୍ଥନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସଲମାନଙ୍କ ସମେତ ୭ ପ୍ରଡକ୍ସନ ହାଉସ ସୁଶାନ୍ତ ସିଂହଙ୍କ ଉପରେ ଅଘୋଷିତ ବ୍ୟାନ୍ ଲଗାଇଥିବା ଅଭିଯୋଗ ତାଙ୍କ ମୃତ୍ୟୁ ପରଠାରୁ ହେଉଛି । ସୁଶାନ୍ତଙ୍କୁ କାମ ନମିଳିବା କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହେଉଛି ।

 

 

 

Leave a Reply