ଜାତୀୟ ମଞ୍ଚରେ ଓଡ଼ିଆ ଝିଅଙ୍କୁ ସମ୍ମାନ, ଅଭିଲିପ୍ସା ପଣ୍ଡାଙ୍କୁ ମିଳିଲା ରାଷ୍ଟ୍ରୀୟ ସଙ୍ଗୀତ ପୁରସ୍କାର

ଭୁବନେଶ୍ୱର: ଜାତୀୟ ମଞ୍ଚରେ ଓଡ଼ିଆ ଝିଅଙ୍କୁ ସମ୍ମାନ । ଇଣ୍ଟରନେଟ୍ ସେନସେସନ ହର ହର ଶମ୍ଭୁ ଫେମ୍‌ ଅଭିଲିପ୍ସା ପଣ୍ଡାଙ୍କୁ ମିଳିଲା ରାଷ୍ଟ୍ରୀୟ ସଙ୍ଗୀତ ପୁରସ୍କାର । ମୁମ୍ବାଇରେ ଆୟୋଜିତ ସୁର ଜ୍ୟୋସ୍ନା ନ୍ୟାସନାଲ ମ୍ୟୁଜିକ ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି ଅଭିଲିପ୍ସା । ମୋଷ୍ଟ ଆଉଟଷ୍ଟାଣ୍ଡିଂ ଏମର୍ଜିଂ ଟାଲେଣ୍ଟ ଭୋକାଲର ଲୋକପ୍ରିୟ ସଙ୍ଗୀତ କାଟାଗୋରୀରେ ପୁରସ୍କୃତ ହୋଇଛନ୍ତି କେନ୍ଦୁଝର ବଡ଼ବିଲର ଝିଅ ଅଭିଲିପ୍ସା।

କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ସଙ୍ଗୀତଜ୍ଞଙ୍କ ଆଗରେ ବନ୍ଦେ ଉତ୍କଳ ଜନନୀ ଓ ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀ ଗାଇ ଦର୍ଶକଙ୍କ ମନ ଜିଣିଥିଲେ ଅଭିଲିପ୍ସା । ଅଭିଲିପ୍ସାଙ୍କ ସଂଗୀତରେ ସମସ୍ତେ ବିଭୋର ହେବା ସହ ଠିଆ ହୋଇ ଅଭିଲିପ୍ସାଙ୍କୁ ସମ୍ମାନ ଜଣାଇଥିଲେ । କାର୍ଯ୍ୟକ୍ରମରେ ବହୁ ବିଶିଷ୍ଠ ସଙ୍ଗୀତଜ୍ଞ ସାମିଲ ହୋଇଥିଲେ । ବଂଶୀ ବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ଲିଜେଣ୍ଟ୍ରି ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିବା ବେଳେ, ଆଇକନିକ ଆଓ୍ବାର୍ଡ ଦିଆଯାଇଛି ଶଙ୍କର ମହାଦେବନଙ୍କୁ । ହର ହର ଶମ୍ବୁ ଗୀତକୁ ନିଆରା ଅନ୍ଦାଜରେ ଗାଇ ଇଣ୍ଟରନେଟରେ ଏବେ ସୁଦ୍ଧା ଟ୍ରେଣ୍ଡରେ ରହିଛନ୍ତି ଅଭିଲିପ୍ସା ।