ମାରାଥନ ଜେରାର କୋପ ସମ୍ଭାଳି ପାରିଲେନି ଆକାଶ, ମାନିଲେ କେବଳ ରୁବାବ ପାଇଁ ଏଭଳି ଜାଲିଆତି କରୁଥିଲେ

1 min read

ଭୁବନେଶ୍ୱର: ମାରାଥନ ଜେରାର କୋପ ସମ୍ଭାଳି ପାରିଲେ ନାହିଁ ଆକାଶ । ଶେଷରେ ଧଇଁସଇଁ ହୋଇ ସତ ମାନିଲେ । ଘନ ଘନ ଜେରାରେ ଏସଆଇଟି ଆଗରେ ସତ ମାନିଛନ୍ତି ଆଇଏଫଏସ ଅଭୟ ପାଠକଙ୍କ ଠକ ପୁଅ ଆକାଶ ପାଠକ । ସେ ଟାଟା କମ୍ପାନୀରେ ଚାକିରି କରୁନଥିଲେ । କେବଳ ରୁବାବ ପାଇଁ ଏପରି ଖୋଳପା ପିନ୍ଧିଥିଲେ ଆକାଶ । ଭିଜିଲାନ୍‌ସ ଏସଆଇଟିର ମାରାଥନ ଜେରା ସମୟରେ ଏହା ସେ ସ୍ୱୀକାର କରିଥିବା ଜଣାପଡ଼ିଛି । ଲୋକଙ୍କୁ ଠକିବା ପାଇଁ ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଉଥିଲେ ।

ତିନି ଦିନିଆ ରିମାଣ୍ଡରେ ଥିବା ଆକାଶ ଲୋକଙ୍କ ଆଗରେ ନିଜର ଷ୍ଟାଟସ ଦେଖାଇବାକୁ ଏଭଳି ଜାଲିଆତି କରିଥିବା ମାନିଛନ୍ତି । କମ୍ପାନୀ ଚାକିରି କରାଇଦେବାର ପ୍ରଲୋଭନ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ମଧ୍ୟ ସ୍ୱୀକାର କରିଥିବା ଜଣାପଡ଼ିଛି । ଆକାଶ ପାଠକ, ଟାଟା କମ୍ପାନୀରେ ଚାକିରୀ କରିନାହାନ୍ତି ବୋଲି ନନ୍ଦିଘୋଷ ଟିଭି ବାରମ୍ବାର କହି ଆସୁଥିଲା । ଏସମ୍ପର୍କରେ ନନ୍ଦିଘୋଷ ଟିଭି ପକ୍ଷରୁ କମ୍ପାନୀଠାରୁ ସ୍ପଷ୍ଟୀକରଣ ମଧ୍ୟ ମଗାଯାଇଥିଲା । ଟାଟା କମ୍ପାନୀର ଏଚଆର ମୁଖ୍ୟ ଆକାଶ ଟାଟା ମୋଟର୍ସରେ ଚାକିରି କରିନଥିବା ଇମେଲ୍ ଯୋଗେ ଆମକୁ ଜଣାଇଥିଲେ ।

କିନ୍ତୁ ଭାବୀ ଜ୍ୱାଇଁଙ୍କ ପାଇଁ ଓକିଲାତି କରି ସେ ଟାଟା ମୋଟର୍ସରେ ଏମ୍‌ଡି ଭାବେ ଚାକିରି କରୁଥିବା ଦାବି କରୁଥିଲେ ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ। ଏପରିକି ସେ ସେଣ୍ଟ୍ରାଲ ସ୍କୁଲରେ ପଢୁଥିଲେ ଓ ଜି-ମ୍ୟାଟ୍‌ରେ ଟପ୍ପର ହୋଇଥିବା କହୁଥିଲେ । ପୂର୍ବରୁ ଗୋପାଳପୁରର ୬୦ରୁ ଅଧିକ ଟାଟା ବିସ୍ଥାପିତ ଚାକିରି ପାଇଁ ଆକାଶ ପାଠକଙ୍କ ଠକାମୀର ଶୀକାର ହୋଇଥିବା ଖୋଦ୍ କମ୍ପାନୀ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯାଇଥିଲା । ଠକେଇର ଶୀକାର ହୋଇଥିବା ଲୋକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରି ଅଧିକ ତଥ୍ୟ ସଂଗ୍ରହ କରୁଛି ।

Leave a Reply