ଐଶର୍ଯ୍ୟାଙ୍କୁ ଭୁଲ୍ ମାଗିଲେ ପାକ୍ କ୍ରିକେଟର ଅବଦୁଲ୍ଲ ରଜାକ୍

ଇସଲାମବାଦ: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଅବଦୁଲ୍ଲ ରଜାକ ଦେଇଥିବା ଏକ ମନ୍ତବ୍ୟ ପାଇଁ ଭାରତରୁ ପାକିସ୍ତାନ ସବୁଠି ନିନ୍ଦାର ଶିକାର ହୋଇଥିଲେ । ସୋସିଆଲ ମିଡିଆରେ ତାଙ୍କର ଉକ୍ତିଟି ଭାଇରାଲ ହୋଇଥିବାବେଳେ ସେ ଟ୍ରୋଲ ହୋଇଥିଲେ । ଐଶର୍ଯ୍ୟା ରାୟଙ୍କୁ ନେଇ ଦେଇଥିବା ଏକ ମନ୍ତବ୍ୟ ପାଇଁ ପାକିସ୍ତାନୀ କ୍ରିକେଟରଙ୍କଠାରୁ ଆରମ୍ଭ କରି ସାଧାରଣ ୟୁଜର୍ସ ମଧ୍ୟ ସମାଲୋଚନା କରିଥିଲେ ଶେଷରେ ଏକ ଭିଡିଓ ମାଧ୍ୟମରେ ଭୁଲ୍ ମାଗିଛନ୍ତି ରଜାକ୍ । ୨୦୨୩ ବିଶ୍ବକପରେ ପାକିସ୍ତାନ କ୍ରିକେଟ ଦଳର ପ୍ରଦର୍ଶନକୁ ନେଇ ସବୁଠି ସମାଲୋଚନା କରାଯାଉଛି । ପରାଜୟ ପାଇଁ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ପୂର୍ବ ପାକିସ୍ତାନୀ କ୍ରିକେଟର ବାବର ଆଜମଙ୍କ ଦଳର ପ୍ରଦର୍ଶନକୁ ନେଇ ସମାଲୋଚନା କରିବାକୁ ଯାଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକି ନିଆଁ ଭଳି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।  ସମାଲୋଚନା ପରେ ଭିଡିଓ କରି କ୍ଷମା ପ୍ରାର୍ଥନା କରିଛନ୍ତି ରଜାକ । ସେ କହିଛନ୍ତି କି, ମୋ ପାଟିରୁ ଖସିଯାଇଥିଲା । ମୁଁ କାହାର ଭାବନାକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ଭୁଲରେ ଉଦାହରଣ ଦେବାକୁ ଯାଇ ଐଶର୍ଯ୍ୟାଙ୍କ ନାମ ନେଇ ଯାଇଥିଲି ।

ସୂଚନା ଥାଉକି, ଏକ ସାମ୍ବାଦିକ ସମ୍ମିଳନୀରେ ସାହିଦ ଆଫ୍ରିଦ ଏବଂ ଉମର ଗୁଲଙ୍କ ସହ ରଜାକ ବସିଥିଲେ । ସେ ପାକିସ୍ତାନ ଟିମର ବିଶ୍ବକପରେ ପ୍ରଦର୍ଶନକୁ ନେଇ ସମାଲୋଚନା କରୁଥିଲେ । କହିଥିଲେ କି, ଆମେ ୟୁନିସ ଖାନଙ୍କ ଅଧିନାୟକତ୍ବରେ ଭଲ ପ୍ରଦର୍ଶନ କରୁଥିଲୁ । ଅଧିନାୟକଙ୍କ ଉତ୍ତମ ଉଦ୍ଦେଶ୍ୟ ଟିମକୁ ଶକ୍ତିଶାଳି କରିଥାଏ । ଯଦି ତୁମେ ଭାବୁଛ କି, ଐଶର୍ଯ୍ୟା ରାୟଙ୍କୁ ବିବାହ କରିବ ଏବଂ ଭଲ ସନ୍ତାନ ପାଇବି ତାହେଲେ ଏହା କେବେ ହୋଇପାରିବ ନାହିଁ, ତେଣୁ ତୁମର ଉଦ୍ଦେଶ୍ୟକୁ ପ୍ରଥମେ ସ୍ଥିର କରିବାକୁ ପଡ଼ିବ ।  ଐଶର୍ଯ୍ୟା ରାୟଙ୍କ ନାମକୁ ନେଇଥିବାବେଳେ ଟ୍ରୋଲର ଶିକାର ହୋଇଥିଲେ ରଜାକ୍ । ଐଶର୍ଯ୍ୟା ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖିନଥିବାବେଳେ ଟ୍ବିଟରରେ କଡ଼ା ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା ।