ଡିଭିଲିୟର୍ସଙ୍କ ପସନ୍ଦର ବିଶ୍ବକପ ପ୍ଲେଇଙ୍ଗ ୧୧, ସ୍ଥାନ ପାଇଲେ ୫ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ନିକଟରେ ସରିଛି ଦିନିକିଆ ବିଶ୍ବକପ । ଭାରତକୁ ହରାଇ ଅଷ୍ଟ୍ରେଲିଆ ହୋଇଛି ବିଶ୍ବ ବିଜେତା । ବିଶ୍ବକପରେ ପସନ୍ଦର ପ୍ଲେଇଙ୍ଗ ୧୧ ଦଳ ବାଛୁଛନ୍ତି ଦିଗଜ କ୍ରିକେଟର । ଏହି ଅବସରରେ ନିଜର ପସନ୍ଦର ପ୍ଲେଇଙ୍ଗ ୧୧ ବାଛିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏ.ବି. ଡିଭିଲିୟର୍ସ । ଯେଉଁଥିରେ ସେ ୫ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ନିଜ ଦଳରେ ସ୍ଥାନ ଦେଇଛନ୍ତି । ତେବେ ଟ୍ରିଭସ ହେଡ ଏବଂ ରୋହିତ ଶର୍ମାଙ୍କୁ ଓପନରଭାବେ ବାଛିଛନ୍ତି । ବିଶ୍ବକପ ଫାଇନାଲରେ ହେଡ ଦମଦାର ଶତକୀୟ ପାଳି ଖେଳି ଅଷ୍ଟ୍ରେଲିଆକୁ ଜିତାଇଥିଲେ ।

ସେପଟେ ରୋହିତ ଚଳିତ ବିଶ୍ବକପରେ ଦମଦାର ବ୍ୟାଟିଂ କରି ୫ଶହରୁ ଅଧିକ ସ୍କୋର କରିଛନ୍ତି । ତେବେ ଡିଭିଲିୟର୍ସଙ୍କ ପସନ୍ଦର ପ୍ଲେଇଙ୍ଗ ୧୧ରେ ରହିଥିବା ୫ ଜଣ ଭାରତୀୟ ଖେଳାଳି ହେଲେ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟାର, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସାମି । ଅନ୍ୟପଟେ ବିଦେଶୀ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଟ୍ରାଭିସ ହେଡ୍, ରଚିନ ରବିନ୍ଦ୍ର, ମ୍ୟାକ୍ସଓ୍ବେଲ, ଆଦାମ ଜାମ୍ପା, ଦିଲଶନ ମଦୁଶଙ୍କା ଏବଂ କୋଏଟଜି ।

ଡିଭିଲିୟର୍ସ ଏକ ସନ୍ତୁଳିତ ଦଳ ବାଛିଥିବାବେଳେ ପେସର ସ୍ପିନର ଏବଂ ଅଲରାଉଣ୍ଡର ସ୍ଥାନ ପାଇଛନ୍ତି । ମ୍ୟାକ୍ସଓ୍ବେଲ ଏବଂ ରବିନ୍ଦ୍ର ଜାଡେଜା ଉଭୟ ବୋଲିଂ ସାଙ୍ଗକୁ ବ୍ୟାଟିଂ କରିପାରିବେ । ବୋଲରଙ୍କ ମଧ୍ୟରେ ପେସରମାନେ ମଧ୍ୟ ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଛନ୍ତି ।