ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ପଚରାଉଚରା ଜାରି, ଏଥର ହୋଲି ପାଳିବନି ଆପ୍‌

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତନାଘନା ଜାରି । କେଜରିୱାଲଙ୍କ ପଚରାଉଚରା କରୁଛି ଇଡି। ମିଳୁନି ଦିଲ୍ଲୀ ମଦ ଦୁର୍ନୀତି ସମୟର କେଜରିୱାଲଙ୍କ ପୁରୁଣା ମୋବାଇଲ ଫୋନ। ତଦନ୍ତକାରୀ ସଂସ୍ଥା ତରଫରୁ କେଜରିୱାଲଙ୍କ ପଚରାଉଚରା ଜାରି ରହିଛି। ମଦ ଦୁର୍ନୀତି ସମୟର କେଜରିୱାଲଙ୍କ ମୋବାଇଲ ଫୋନ କେଉଁଆଡେ ଗାୟବ ହୋଇଯାଇଥିବା ସନ୍ଦେହ କରାଯାଉଛି।

ସେପଟେ ଏହି ଫୋନ ବିଷୟରେ କେଜରିୱାଲ ଜାଣିନଥିବା କହିଛନ୍ତି। ମଦ ଦୁର୍ନୀତି ମାମଲାରେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତିହାର ଜେଲକୁ ଯାଇ ଅନ୍ୟତମ ଅଭିଯୁକ୍ତ ସମୀର ମେହେନ୍ଦୁଙ୍କ ବୟାନ ରେକର୍ଡ କରିଛି। ଆସନ୍ତାକାଲି ହୋଲି ଥିବାବେଳେ ଏହି ଦିନ ମଧ୍ୟ କେଜରିୱାଲଙ୍କ ପଚରାଉଚରା କରିବ ଇଡି। ତେବେ ହୋଲି ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପତ୍ନୀଙ୍କ ସହ ଓକିଲଙ୍କୁ ସାକ୍ଷାତ କରିପାରିବେ।

ଚଳିତ ଥର କେଜରିୱାଲଙ୍କ ଲାଗି ହୋଲି ଫିକା ଏବଂ ବେରଂଗ ରହିବ। ସେପଟେ କେଜରିୱାଲଙ୍କୁ ଇଡି ଗିରଫ କରିଥିବାରୁ ଚଳିତ ଥର ଆମ ଆଦମୀ ପାର୍ଟି ପକ୍ଷରୁ ହୋଲି ପାଳନ ନକରିବାକୁ ଘୋଷଣା କରାଯାଇଛି। ସେପଟେ କେଜରିୱାଲ ଜେଲରେ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ନିର୍ଦ୍ଦେଶକୁ ନେଇ ଉଠିଛି ପ୍ରଶ୍ନ। କିଏ ଏହି ନିର୍ଦ୍ଦେଶ ଦେଇଛି । ଏହି ନିର୍ଦ୍ଦେଶରେ କେତେ ସତ ରହିଛି ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଜଳ ସଂକଟ ସମାଧାନ ଲାଗି ହୋଇଥିବା ନିର୍ଦ୍ଦେଶ କିଏ ଜାରି କରିଛି ଏହାର ତନାଘନା କରିବ ଇଡି। ଅରବିନ୍ଦ କେଜରିୱାଲଙ୍କୁ କୌଣସି କମ୍ପ୍ଯୁଟର ଦିଆଯାଇନଥିଲା। ଯାହାଦ୍ଵାରାକି କୌଣସି ନିର୍ଦ୍ଦେଶ ଟାଇପ କରାଯାଇଛି। ନା କୌଣସି କାଗଜ ନଥିପତ୍ରରେ କେଜରିୱାଲ ଦସ୍ତଖତ କରିଛନ୍ତି। ପତ୍ନୀ ସୁନୀତା କେଜରିୱାଲ ଇଡି ମୁଖ୍ୟାଳୟରେ ଅରବିନ୍ଦ କେଜରିୱାଲଙ୍କ ସହ ସାକ୍ଷାତ କରିଥିଲେ। ତେବେ କିଏ ଏହି ନିର୍ଦ୍ଦେଶ ଜାରି କରିଛି ଏହାର ତନାଘନା କରୁଛି ଇଡି।