ପୁଣି ଦିଲ୍ଲୀ-କେନ୍ଦ୍ର ସରକାର ମୁହାଁମୁହିଁ, ଦିଲ୍ଲୀର ପ୍ରସ୍ତାବିତ ବଜେଟ ଅଟକାଇଲେ ଏଲଜି
ନୂଆଦିଲ୍ଲୀ: ରାଜଧାନୀରେ ବଜେଟ ରାଜନୀତି । ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ବଜେଟ ଉପରେ କେନ୍ଦ୍ରର ରୋକ । ବଜେଟରେ ରୋକ ଲାଗିବା ପରେ ଏହାକୁ କେନ୍ଦ୍ରର ଗୁଣ୍ଡାଗର୍ଦ୍ଦି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ବିଜ୍ଞାପନ ଖର୍ଚ୍ଚ, ପୁଞ୍ଜି ବ୍ୟୟ ଓ ଆୟୁଷ୍ମାନ ଭାରତ ଆଦି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗି କେନ୍ଦ୍ର ସରକାର ଦିଲ୍ଲୀର ବଜେଟ ଅଟକାଇଥିବା ଜଣାପଡ଼ିଛି । ଯାହାକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ଦିଲ୍ଲୀ ସରକାର ।
ଉପରାଜ୍ୟପାଳ ପ୍ରସ୍ତାବିତ ବଜେଟ ଫାଇଲ ମଞ୍ଜୁର ନକରିବା ଯୋଗୁ ଆଜି ବିଧାନସଭାରେ ବଜେଟ ପରିବେଷଣ ହୋଇପାରିବ ନାହିଁ । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କେଜ୍ରିଓ୍ବାଲ । ଇତିହାସରେ ପ୍ରଥମ ଥର ଲାଗି କୌଣସି ରାଜ୍ୟର ବଜେଟ ଅଟକାଯାଇଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । ବଜେଟରେ ରୋକ ଲାଗିବା ଯୋଗୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆପତ୍ତି ଉଠାଇଛନ୍ତି କେଜ୍ରିଓ୍ବାଲ । ଚଳିତବର୍ଷ ଦିଲ୍ଲୀ ପାଇଁ ୭୮ ହଜାର ୮ ଶହ କୋଟିର ବ୍ୟୟବରାଦ ହୋଇଥିବା ବେଳେ ୨୨ ହଜାର କୋଟି ଟଙ୍କା ନିର୍ମାଣ କାର୍ଯ୍ୟ ପାଇଁ ରଖାଯାଇଛି । ୫୫୦ କୋଟି ଟଙ୍କା ବିଜ୍ଞାପନ ଖର୍ଚ୍ଚ ବାବଦ ବ୍ୟୟବରାଦ ପାଇଁ ରଖାଯାଇଛି । ଗତବର୍ଷ ବିଜ୍ଞାପନ ଖର୍ଚ୍ଚ ଓ ଚଳିତବର୍ଷ ବିଜ୍ଞାପନ ଖର୍ଚ୍ଚ ସମାନ ରହିଛି ବୋଲି କହିଛନ୍ତି ଦିଲ୍ଲୀ ଅର୍ଥମନ୍ତ୍ରୀ କୌଳାସ ଗେହଲଟ ।