ପ୍ରତି ପଞ୍ଚାୟତରେ ଖୋଲିବ ଆମ ବ୍ୟାଙ୍କ, ୧୫ଟି ବ୍ୟାଙ୍କ ଯୋଗାଇ ଦେବେ ସେବା

1 min read

ଭୁବନେଶ୍ବର: ଏଣିକି ହାତପାଆନ୍ତାରେ ମିଳିବ ବ୍ୟାଙ୍କ ସେବା । ରାଜ୍ୟରେ ବ୍ୟାଙ୍କ ସେବାରୁ ବଞ୍ଚିତ ପଞ୍ଚାୟତରେ ଖୋଲିବ ଆମ ବ୍ୟାଙ୍କ । ପ୍ରତି ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସେବା ଯୋଗାଇ ଦେବାକୁ ଆଜି ଐତିହାସିକ ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗର ଉଦ୍ୟମରେ ଆମ ବ୍ୟାଙ୍କ ସେବା ମିଳିବ ।

ବ୍ୟାଙ୍କ ନଥିବା ୪ ହଜାର ୩୭୩ ପଞ୍ଚାୟତରେ ଖୋଲିବ CSP PLUS ବ୍ୟାଙ୍କିଂ ଆଉଟଲେଟ୍ । ଏଥିରେ ୧୫ଗୋଟି ବ୍ୟାଙ୍କିଂ ସେବା ମିଳିପାରିବ । ଏଥିପାଇଁ ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବ୍ୟାଙ୍କ ଗୁଡ଼ିକୁ ଘର ଯୋଗାଇ ଦେବେ । ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ଏବଂ ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏହାଦ୍ବାରା ଗ୍ରାମାଞ୍ଚଳର ଲୋକମାନେ ବିଶେଷ ଉପକୃତ ହେବେ ।

ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳା ଦୁଆର ମୁହଁରେ ସେବା ପାଇପାରିବେ । ୨୦୨୪ ଶେଷ ସୁ୍ଦ୍ଧା ସବୁ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ ଖୋଲାଯିବ । ଏଥିପାଇଁ ୬ଟି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ବ୍ୟାଙ୍କ ପାଇଁ ସବୁ ଭିତ୍ତିଭୂମି ଯୋଗାଇଦେବେ ରାଜ୍ୟ ସରକାର । ଗତ ଅଗଷ୍ଟ ୧୧ତାରିଖରେ ବସିଥିବା କ୍ୟାବିନେଟ ବୈଠକରେ ସିଏସପି ପ୍ଲସ ବ୍ୟାଙ୍କିଂ ଆଉଟଲେଟ୍ ଖୋଲିବା ନେଇ ମଞ୍ଜୁରୀ ମିଳିଥିଲା ।