୭ବର୍ଷରେ ‘ଆହାର’ ଯୋଜନା : ଗୋଟିଏ ଦିନରେ ଦେଢ଼ ଲକ୍ଷ ଭୋକିଲା ଲୋକେ ହେଉଛନ୍ତି ଉପକୃତ

ଭୁବନେଶ୍ୱର: ୭ ବର୍ଷରେ ପହଞ୍ଚିଛି ଲୋକପ୍ରିୟ ‘ଆହାର’ ଯୋଜନା । ଦିନକୁ ଦେଢ଼ ଲକ୍ଷ ଲୋକଙ୍କ ଭୋକିଲା ପେଟକୁ ଆହାର ଯୋଗାଇ ପ୍ରଶଂସାର ପାତ୍ର ହୋଇଛନ୍ତି ରାଜ୍ୟ ସରକାର । ୨୦୧୫ରୁ ଆରମ୍ଭ ହୋଇଥିବା ଏହି ଯୋଜନା ଲୋକମାନଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି ।

ଦେଢ଼ ଲକ୍ଷ ଲୋକଙ୍କ ଭରସା ‘ଆହାର’ । ୭ ବର୍ଷରେ ରାଜ୍ୟବାସୀଙ୍କ ଦ୍ୱାରା ଆଦୃତ । ୧୫୮ଟି କେନ୍ଦ୍ରରେ ମିଳୁଛି ସୁସ୍ୱାଦୁ ଭୋଜନ । ଖାଦ୍ୟ ଯୋଗାଇବାକୁ ଶିଳ୍ପସଂସ୍ଥାଙ୍କୁ ଆହ୍ୱାନ୍ । ଭୋକିଲା ପେଟକୁ ଦାନା ଯୋଗାଇବା ଉଦ୍ଦେଶ୍ୟରେ ୨୦୧୫ ମସିହା ଉତ୍କଳ ଦିବସ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ‘ଆହାର’ ଯୋଜନା । ସହରକୁ ଆସୁଥିବା ଅସହାୟ ଲୋକଙ୍କ ସାହାରା ପାଲଟିବା ସହ ଲୋକଙ୍କୁ ୫ ଟଙ୍କାରେ ପେଟପୁରା ଖାଦ୍ୟ ଯୋଗାଇବା ପାଇଁ ଭୁବନେଶ୍ୱର, କଟକ, ସମ୍ବଲପୁର,ବ୍ରହ୍ମପୁର ଓ ରାଉରକେଲାରେ ଆରମ୍ଭ ହୋଇଥିଲା ।

୫ଟି କେନ୍ଦ୍ରରୁ ଆରମ୍ଭ ହୋଇଥିବା ଆହାର ଏବେ ରାଜ୍ୟରେ ୧୫୮ଟି କେନ୍ଦ୍ରରେ ପରସାଯାଉଛି । ପ୍ରତେକ ଦିନ ଦେଢ଼ ଲକ୍ଷ ଲୋକ ବାସଷ୍ଟାଣ୍ଡ, ରେଳଷ୍ଟେସନ,ହସ୍ପିଟାଲ ଆଦି ଜନଗହଳି ପୂର୍ଣ୍ଣ ସ୍ଥାନରେ ଖାଉଛନ୍ତି । ଏଥିସହ ଖାଦ୍ୟର ମାନ, ପରିଷ୍କାର ପରିଚ୍ଛନ୍ନତା ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ୫୬ଟି ଆହାର କେନ୍ଦ୍ରରେ ୨୦ ହଜାର ଲୋକଙ୍କ ପାଇଁ ରାତ୍ରୀ ଭୋଜନ ବ୍ୟବସ୍ଥା କରାଯାଇଛି ।

ଆହାର କେନ୍ଦ୍ର ମାଧ୍ୟମରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ଶିଳ୍ପ ସଂସ୍ଥା ମାନଙ୍କୁ ଆହ୍ବାନ କରାଯିବା ସହ ବିବାହ, ବ୍ରତ ଓ ଜନ୍ମଦିନ ଉତ୍ସବରେ ଲୋକେ ଚାହିଁଲେ ଖାଦ୍ୟ ମଧ୍ୟ ବଣ୍ଟନ କରିପାରିବେ । ସେହିପରି ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱ ଏସଏଚଜି ଗ୍ରୁପ ହାତରେ ନ୍ୟସ୍ତ କରିବା ସହ ଟ୍ରେନିଂ ପାଇଁ ଏକ ଟିମକୁ ମହୀଶୂର ପଠାଯାଇଛି । ଆହାର କେନ୍ଦ୍ରରେ କାମ କରିବା ଦ୍ୱାରା ନିଜେ ସ୍ୱାବଲମ୍ୱୀ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ।