ବିଦେଶରେ ବି କରି ହେବ ଆଧାର କାର୍ଡର ବ୍ୟବହାର

ନୂଆଦିଲ୍ଲୀ: ବଢ଼ିବ ଆଧାର କାର୍ଡର ବ୍ୟବହାର । ଏହି କାର୍ଡକୁ ଏକ ଅନ୍ତର୍ଜାତିକ ଡିଜିଟାଲ ପରିଚୟ ମାନକ ବା ଇଣ୍ଟରନ୍ୟାସନାଲ ଡିଜିଟାଲ ଆଇଡେଣ୍ଟିଟି ଷ୍ଟାଣ୍ଡାର୍ଡ ଭାବେ ପରିଣତ କରିବା ଲାଗି ଅଭିଯାନ ଆରମ୍ଭ ହେବ । ପୂର୍ବାପେକ୍ଷା ଅଧିକ କାମରେ ଯେପରି ଆଧାର କାର୍ଡର ଉପଯୋଗ ହୋଇପାରିବ ସେଥିଲାଗି ଭାରତ ଓ ବିଦେଶର ବିଶେଷଜ୍ଞମାନେ କରିବେ ଆଲୋଚନା । ଏକ ଡିଜିଟାଲ ଅର୍ଥନୀତିରେ ଏହି କାର୍ଡକୁ ଅଧିକ ଉନ୍ନତ ଓ ଆଧୁନିକ କରିବା ଲାଗି ପଦକ୍ଷେପ ନିଆଯିବ ।

ଡିଜିଟାଲ ଆଇଡେଣ୍ଟିଟି ଓ ସ୍ମାର୍ଟ ଗଭର୍ଣ୍ଣାନ୍ସ ନୀତିକୁ ଦୃଷ୍ଟିରେ ରଖି ଆଧାର ୨.୦ ଉପରେ ଆସନ୍ତା ୨୩ରୁ ତିନି ଦିନ ଧରି ଏହି କର୍ମଶାଳା ଆୟୋଜିତ ହେବ । ଏଥିରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ,  ୟୁଆଇଡିଏଆଇର ପୂର୍ବତନ ମୁଖ୍ୟ ନନ୍ଦନ ନିଲେକେନି, ଆରଏସ ଶର୍ମା, ଅଜୟ ଭୂଷଣ ପାଣ୍ଡେ, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରିଷଦ ଅଧ୍ୟକ୍ଷ, ଅର୍ଥ ସଚିବ, ଆଇଟି ସଚିବ ଓ ନିତି ଆୟୋଗ ସିଇଓ ଯୋଗଦେବେ । ଏହା ସହ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା, ଆଇଆଇଟି, ଆଇଆଇଏସସିର କିଛି ବିଶେଷଜ୍ଞ ବି ଯୋଗ ଦେବେ । ଏକ ଡିଜିଟାଲ ଅର୍ଥନୀତି ପରିପ୍ରେକ୍ଷୀରେ ଆଧାର କାର୍ଡକୁ ଅଧିକ ଗୁରୁତ୍ବ ଦିଆଯିବ । ଆଧାର କାର୍ଡକୁ ଭାରତ ବାହାରେ ବ୍ୟବହାର କରିବା ପରି ଏକ ଡିଜିଟାଲ ପରିଚୟ ପତ୍ର ଭାବେ ପ୍ରସ୍ତୁତ କରାଯିବ । ବର୍ତ୍ତମାନ ଆଧାର କାର୍ଡ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଓ ସଶକ୍ତିକରଣର ଏକ ମାଧ୍ୟମ ପାଲଟିଥିବାବେଳେ ଏହାକୁ ବିଶ୍ବସ୍ତରରେ ମାନ୍ୟତା ଲାଗି ପଦକ୍ଷେପ ନିଆଯିବ ।

Leave a Reply