ପୁଣି ଆଧାର କାର୍ଡ ବୈଧତା ନେଇ ଦ୍ୱନ୍ଦ୍ୱ, ସୁପ୍ରିମକୋର୍ଟରେ ହେବ ଶୁଣାଣି…

New Delhi, National News, Aadhar Card Validation Supreme Court Hearing CJI

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ୨୬ ଡିସେମ୍ବର୨୦୧୮ରେ ଆଧାର କାର୍ଡର ବୈଧାନିକତାକୁ ନେଇ ଦାୟର କରାଯାଇଥିବା ଆବେଦନର ଶୁଣାଣି କରିଥିଲେ । ସେତେବେଳେ ସୁପ୍ରିମ୍‌କୋର୍ଟ ଆଧାର କାର୍ଡର ବୈଧାନିକତାକୁ କାୟମ ରଖିଥିଲେ । ଏବେ ପୁଣି ଥରେ ସେହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଦାଖଲ କରାଯାଇଛି । ଏହାକୁ ନେଇ ମଙ୍ଗଳବର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟର ସ୍ୱତନ୍ତ୍ର ୫ ଜଣିଆ ଖଣ୍ଡପୀଠ । ପୂର୍ବରୁ ଆଧାରକାର୍ଡର ବୈଧତା ବିରୋଧରେ ଏକ ପିଟିସନ୍‌ ଦାଖଲ କରାଯାଇଥିଲା ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ ବୋବଡେଙ୍କ ନେତୃତ୍ୱରେ ଏହି ୫ ଜଣିଆ ଖଣ୍ଡପୀଠ ଗଠନ କରାଯାଇଛି । ଏଥିରେ ଜଷ୍ଟିସ ଏ ଏମ୍ ଖାନୱାଲିକର, ଡି ବାଇ ଚନ୍ଦ୍ରଚୂଡ, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏଲ ନାଗେଶ୍ୱର ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ, ଜଷ୍ଟିସ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଏମ୍ ଖାନୱିଲକର ପୂର୍ବରୁ ସେହି ଖଣ୍ଡପୀଠରେ ସାମିଲ ଥିଲେ, ଯେଉଁ ଖଣ୍ଡପୀଠ ତତ୍‌କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦିପକ ମିଶ୍ରକଙ୍କ ଅଧ୍ୟକ୍ଷତାରେ ଆଧାର କାର୍ଡକୁ ସାମ୍ବିଧାନିକ ବୋଲି ରାୟ ଶୁଣାଇଥିଲେ ।

ହେଲେ ଜଷ୍ଟିସ ଚନ୍ଦ୍ରଚୂଡ଼ ସେହି ସମୟରେ କହିଥିଲେ ଯେ, ଆର୍ଥିକ ବିଲ୍‌ ଭଳି ଆଧାର ବିଲକୁ ପାସ୍‌ କରିବା ଉଚିତ୍‌ ନୁହେଁ । ଏହା ସମ୍ବିଧାନକୁ ଧୋକା ଦେବା ସଦୃଶ ।

ଜଷ୍ଟିସ୍‌ ଏକେ ସିକ୍ରି ଓ ଜଷ୍ଟିସ ଅଶୋକ ଭୂଷଣ ମଧ୍ୟ ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଖଣ୍ଡପୀଠରେ ସାମିଲ ଥିଲେ । ସରକାରୀ ସେବା ପାଇବା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିବା ବିରୋଧରେ ଦାଖଲ ହୋଇଥିବା ୨୭ଟି ଆବେଦନ ଉପରେ ୩୮ ଦିନ ପର୍ଯ୍ୟନ୍ତ ଶୁଣାଣି ହୋଇଥିଲା । ପରେ ସୁପ୍ରିମକୋର୍ଟ ଆଧାର କାର୍ଡକୁ ସାମ୍ବିଧାନିକ ବୋଲି ରାୟ ଶୁଣାଇଥିଲେ । ଏବେ ପୁଣି ଥରେ ସେହି ସୁପ୍ରିମ୍‌କୋର୍ଟରେ ଏହି ରାୟ ବିରୋଧରେ ପିଟିସନ୍‌ ଦାଖଲ କରାଯାଇଛି ।

Leave a Reply