କୋଭିଡ ଟିକା ଲାଗି ଏଣିକି ଆବଶ୍ୟକ ନାହିଁ ଆଧାର କାର୍ଡ

ନୂଆଦିଲ୍ଲୀ: କୋଭିଡ ଟିକା ଲାଗି ଏଣିକି ଆବଶ୍ୟକ ନାହିଁ ଆଧାର କାର୍ଡ । କୋଓ୍ବିନ ପୋର୍ଟାଲରେ ନାମ ପଞ୍ଜିକରଣ ବେଳେ ଆଧାର କାର୍ଡ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ ନିକଟରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର । ଜଷ୍ଟିସ ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଏହି ଉତ୍ତର ରଖିଛନ୍ତି ସରକାର । କୋର୍ଟରେ ମାମଲାର ଶୁଣାଣି ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଦର୍ଶାଯାଇଥିଲା ଯେ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନକାର୍ଡ, ଭୋଟର କାର୍ଡ, ରେସନ କାର୍ଡ ଆଦି ୯ଟି ଡକ୍ୟୁମେଣ୍ଟରୁ କୌଣସି ଗୋଟିଏ ଡକ୍ୟୁମେଣ୍ଟ ଦାଖଲ କରାଯାଇପାରିବ ।

କୋଓ୍ବିନ ପୋର୍ଟାଲରେ ନାମ ପଞ୍ଜିକରଣ ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଥିବା ନୀତି ବିରୋଧରେ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସରକାର ଏହା କହିଛନ୍ତି । କୋଓ୍ବିନ ପୋର୍ଟାଲ ସମେତ ବିଭିନ୍ନ ଟିକାକରଣ କେନ୍ଦ୍ରରେ ବି ଟିକାଦେବାବେଳେ ଆଧାର କାର୍ଡ ବାଧ୍ୟତାମୂଳକ ଥିବାରୁ ଲୋକେ ଅସୁବିଧାରେ ପଡୁଥିଲେ । ଜନସ୍ବାର୍ଥ ମାମଲା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ଗତବର୍ଷ ଅକ୍ଟୋବର ୧ ତାରିଖରେ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ ।

Leave a Reply