‘କାଳିଆ’ ଯୋଜନା ନାଁରେ ଆଦିବାସୀ ମହିଳାଙ୍କ ଠାରୁ ଠକେଇ: ୩୭ ହଜାର ୪୦୦ ଟଙ୍କା ଓ ୨ଟି ଏଟିଏମ୍ କାର୍ଡ ଜବତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ଚଢ଼େୟାଗରଦ ଗାଁର ନିରୀହ ଆଦିବାସୀ ମହିଳା ଚାଷୀ ଙ୍କୁ ‘କାଳିଆ’ ଯୋଜନାରେ ଆର୍ଥିକ ସହାୟତା କରାଇଦେବି କହି ୩୯ ହଜାର ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଗାଁର ସୁରେଖା ମଲ୍ଲିକ, ଦ୍ରୌପଦୀ ମଲ୍ଲିକ, ଗୁଦୁ ମଲ୍ଲିକଙ୍କ ଠାରୁ ୧୦ ହଜାର ଲେଖାଏଁ ଏବଂ ବାଙ୍କି ମଲ୍ଲିକଙ୍କ ଠାରୁ ୯ ହଜାର ଟଙ୍କା ଏଭଳି ମୋଟ ୩୯ ହଜାର ଟଙ୍କା ଗରିବ ଆଦିବାସୀ ମହିଳା ଚାଷୀମାନଙ୍କ ଠାରୁ ଅଭିନବ ଉପାୟରେ ଠକେଇ ହୋଇଛି।  ସମ୍ପୃକ୍ତ ଯୁବକକୁ ଦିଗପହଣ୍ଡି ପୋଲିସ  ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ସାନଡୁମ୍ୱୁଳା ଗାଁର କୃଷ୍ଣ ସେଠୀ।

 କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ନିକଟରୁ  ୩୭ ହଜାର ୪୦୦ ଟଙ୍କା,୨ ଟି ଏଟିଏମ କାର୍ଡ, ବିଭିନ୍ନ ସରକାରୀ ପଦାଧିକାରୀଙ୍କ ରବ୍ବର ଷ୍ଟାମ୍ପ, କାଳିଆ ଯୋଜନା ର ଚିଠା ପୁସ୍ତିକା ଓ ବିଭିନ୍ନ ଅପରାଧିକ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ଦିଗପହଣ୍ଡି ପୋଲିସ ।

 ଅଭିଯୁକ୍ତ କୃଷ୍ଣ ଗତ ରବିବାର ଚଢ଼େୟାଗରଦ ଗ୍ରାମରେ ପହଞ୍ଚି ନିଜକୁ କୃଷି ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ ବୋଲି ପରିଚୟ ଦେଇଥିଲା । ଆଦିବାସୀ ମହିଳା ଚାଷୀମାନଙ୍କୁ ରାଜ୍ୟସରକାରଙ୍କ  ‘କାଳିଆ’ ଯୋଜନା ହିତାଧିକାରୀ ତାଲିକାରେ  ନାମ ଲଗାଇଦେବି  କହି ଆଧାର ନମ୍ବର ଓ ବ୍ୟାଙ୍କ ଖାତାର ଜେରକ୍ସ କପି ମାଗିଥିଲା । । ସୋମବାର ପୁଣି ଉକ୍ତ ୪ ଜଣ ମହିଳାଙ୍କୁ ବ୍ୟାଙ୍କ ଜମା ଖାତା ଧରି  ସିଦ୍ଧେଶ୍ଵର ଗ୍ରାମ ସ୍ଥିତ ଏକ ବ୍ୟାଙ୍କ ନିକଟକୁ ଆସିବା ପାଇଁ କହିଥିଲେ । କୃଷ୍ଣଙ୍କ କଥା ଅନୁସାରେ ମହିଳା ମାନେ ନିଜ ନିଜ ବ୍ୟାଙ୍କ ଖାତା ନେଇ ଏକ ଅଟୋ ରେ ବ୍ୟାଙ୍କକୁ ଆସିଥିଲେ। ସେଠାରେ ପ୍ରତ୍ୟେକଙ୍କ ବ୍ୟାଙ୍କ ଖାତାକୁ ୨୨ହଜାର ଟଙ୍କା ଲେଖାଏଁ ଛାଡ଼ିଦେବି କହି ସେମାନଙ୍କ ବ୍ୟାଙ୍କ  ଖାତାରୁ କୌଶଳ କ୍ରମେ ୩୯ ହଜାର ଟଙ୍କା ଉଠାଣ କରି ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦେଇଥିଲେ।  ପଇସା କଟିଯିବା ପରେ ମହିଳାମାନେ କୃଷ୍ଣଙ୍କୁ ଅଟୋରେ ବସାଇ ଗ୍ରାମର ଅନ୍ୟ କିଛି ମହିଳାଙ୍କ ନାଁ କାଳିଆ ଯୋଜନା ହିତାଧିକାରୀ ତାଲିକାରେ ଲଗାଇ ଦେବାକୁ ଗାଁ କୁ ଚାଲନ୍ତୁ କହି କୌଶଳକ୍ରମେ ଡାକି ନେଇଥିଲେ। ଅଟୋ ଗାଁ ରେ ପହଞ୍ଚିବା ପରେ କୃଷ୍ଣଙ୍କୁ ଘେରି ଯାଇ ସେମାନେ ନିର୍ଦ୍ଧୁମ ମାଡ଼ ମାରିଥିଲେ।  ଗାଁ ଲୋକଙ୍କ ଦ୍ୱାରା ମାଡ଼ ଭୟରେ କୃଷ୍ଣ ସବୁ ଠକାମୀ ମାନିଯାଇଥିଲେ। ଗାଁ ରେ ତାଙ୍କୁ ଅଟକ ରଖି ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଗାଁରେ ପହଞ୍ଚି କୃଷ୍ଣଙ୍କୁ  ଥାନାକୁ ଆଣି ପଚରାଉଚରା କରିବାରୁ ସମସ୍ତ ତଥ୍ୟ ଜଣାପଡ଼ିଥିଲା।

Leave a Reply