ପୁଣି ଚିନ୍ତା ବଢ଼ାଇଲା କରୋନା, ଜଣେ ମହିଳାଙ୍କ ଦେହରେ ଭୂତାଣୁ ଠାବ

1 min read

ଥିରୁଅନନ୍ତପୁରମ: ଦେଶରେ ପୁଣି ଚିନ୍ତା ବଢାଇଲା କରୋନା ଭାଇରସ । କେରଳ କରାକୁଲମରୁ ଠାବ ହୋଇଛି କୋଭିଡ-19 ସବଭାରିଆଣ୍ଟ JN.1  । ଜଣେ ୭୯ ବର୍ଷ ବୟସ୍କା ମହିଳାଙ୍କ ଆରଟି-ପିସିଆର ଟେଷ୍ଟ ପରେ ଏହି ଭୂତାଣୁ ଠାବ ହୋଇଛି । ତାଙ୍କ ନିକଟରେ ଇନଫ୍ଲୁଏଞ୍ଜା ଧରଣର ସକ୍ଷଣ ପ୍ରକାଶ ପାଇଥିଲା । ପୂର୍ବରୁ ତାମିଲନାଡୁର ତିରୁଚିରାପଲ୍ଲୀରେ ବି ଜେଏନ-1 ସବଭାରିଆଣ୍ଟ ମିଳିଥିବା ସୂଚନା ମିଳିଛି । ତେବେ ତିରୁଚିରାପଲ୍ଲୀରେ ସଂକ୍ରମିତ ଅଧିକ ହୋଇଥିବା ସୂଚନା ମିଳିନାହିଁ ।

ବର୍ତ୍ତମାନ ଦେଶରେ ଚିହ୍ନଟ ହେଉଥିବା କୋଭିଡ ମାମଲା ମଧ୍ଯରୁ ୯୦ ପ୍ରତିଶତ ମାମୁଲି । ସେପଟେ କେରଳରେ ନୂଆ ଭୂତାଣୁ ଠାବ ହେବା ପରେ କର୍ଣ୍ଣାଟକ ସରକାର କୋଭିଡ ମୁକାବିଲା ଲାଗି ପଦକ୍ଷେପ ନେଇଛନ୍ତି ଏବଂ ହସ୍ପିଟାଲଗୁଡିକୁ ପ୍ରସ୍ତୁତ ରଖିଛନ୍ତି । ବିଭିନ୍ନ ସ୍ଥାନରେ ମକଡ୍ରିଲ ବି ହୋଇଛି  । ଆରଟିପିସିଆର, ରାପିଡ ଆଣ୍ଟିଜେନ ଟେଷ୍ଟ, ଭିଟିଏମ ଆଦିକୁ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ । ପ୍ରଥମ ଥର ଲାଗି ଜେଏନ-1 ସବଭାରିଆଣ୍ଟ ଲକ୍ସେମବର୍ଗରେ ଠାବ ହୋଇଥିଲା । ପରେ ଏହା ଅନ୍ଯାନ୍ଯ ଦେଶକୁ ସଂକ୍ରମିତ କରିଥିଲା । ଜେଏନ-1 ସବଭାରିଆଣ୍ଟ ପିରୋଲା ଭାରିଆଣ୍ଟ BA.2.86ରୁ ଉତ୍ପତ୍ତି ଲାଭ କରିଛି ବୋଲି ସୂଚନା ମିଳିଛି । ଉପଯୁକ୍ତ ଚିକିତ୍ସା ଓ ଟିକାକରଣ ଜରିଆରେ ଜେଏନ-1ର ମୁକାବିଲା କରାଯାଇପାରିବ ବୋଲି କୁହାଯାଇଛି । ତେବେ କେନ୍ଦ୍ର ସରକାର ଏଥିଲାଗି ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ଇଣ୍ଡିଆନ ସାର୍ସ-କୋଭିଡ ଜେନୋମିକ୍ସ କନସର୍ଟିୟମ ମୁଖ୍ଯ ଡାକ୍ତର ଏନ.କେ. ଅରୋରା । ବିଶ୍ବରେ ବର୍ତ୍ତମାନ ସୁଦ୍ଧା 3,608 ଜଣ BA.2.86 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।