ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଠିକ୍ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ରାସ୍ତା କଡ଼ରେ ପ୍ରସବ କଲେ ମହିଳା

ଭୁବନେଶ୍ୱର: ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଠିକଣା ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ରାସ୍ତା କଡ଼ରେ ପ୍ରସବ କଲେ ମହିଳା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାକାଳପଡ଼ା ବ୍ଲକ ଗୋଗୁଆ ପଞ୍ଚାୟତର ଚକଡାଗୋଗୁଆ ଗ୍ରାମରେ । ଗ୍ରାମର ଅକ୍ଷୟ କୁମାର ଜେନାଙ୍କ ସ୍ତ୍ରୀ ବନିତା ରାସନ ଆଣିବା ପାଇଁ ଘରଠାରୁ ଏକ କିଲୋମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ତେବେ ଭିଡ଼ ଦେଖି ଘରକୁ ଫେରି ଆସିଥିଲେ । ରାସ୍ତାରେ ଇଣ୍ଡିଆନ ଅଏଲ ପଏଣ୍ଟ ନିକଟରେ ମଧ୍ୟାହ୍ନ ୧୧ଟା ୪୫ ସମୟରେ ପ୍ରସବ ଯନ୍ତ୍ରଣା ପାଇ ବସିପଡି ଚିତ୍କାର କରିଥିଲେ ବନିତା । ନିକଟରେ ଥିବା ମହିଳାମାନେ ତାଙ୍କୁ ଚାରିପଟୁ ଘେରି ରଖିଥିଲେ ।

ସ୍ଥାନୀୟ ଲୋକେ ୧୦୮କୁ ଫୋନ କରିଥିଲେ । ତେବେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଘଟଣା ସ୍ଥଳରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ବନିତା । ପରେ ଜନନୀ ଏକ୍ସପ୍ରେସ ପହଞ୍ଚି ବନିତାକୁ ସ୍ଥାନୀୟ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନେଇଥିଲା । ଆରୋଗ୍ୟ କେନ୍ଦ୍ରରେ ଶିଶୁପୁତ୍ର ଓ ମା’କୁ ପ୍ରାଥମିକ ଚିକିତ୍ସା କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଉଭୟ ଶିଶୁପୁତ୍ର ଓ ମା’ ସୁସ୍ଥ ଥିବା ଜଣାପଡ଼ିଛି । ଦୁଇଦିନ ହେବ ଡ୍ରାଇଭର ସଂଘର ଧର୍ମଘଟ ଯୋଗୁ କୌଣସି ଘରୋଇ ଗାଡି ଚାଲିପାରୁ ନଥିବାରୁ ୧୦୮ ଆମ୍ବୁଲାନ୍ସ କିମ୍ବା ଜନନୀ ଏକ୍ସପ୍ରେସ ରୋଗୀଙ୍କ ନିକଟରେ ସମୟରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି ।