ଏହି ଗାଁରେ କାଦୁଅରେ ନାଚି ବରଯାତ୍ରୀଙ୍କୁ କରାଯାଏ ସ୍ବାଗତ, ଜାଣନ୍ତୁ କେଉଁଠି ?
ରାୟପୁର: ଭାରତରେ ବିବାହର ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ଅଲଗା ଅଲଗା ଧର୍ମ ଓ ସମୁଦାୟରେ ବିବାହର ପରମ୍ପରା ଭିନ୍ନ ହୋଇଥାଏ । କେଉଁଠି ନାଚଗୀତ ସହ ଧୂମଧାମରେ ବାହାଘର ହୁଏ ତ ପୁଣି କେଉଁଠି ଅତି ସାଧାରଣ ଭାବେ ବିବାହ ସମ୍ପର୍ନ୍ନ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ପରମ୍ପରାର ବିବାହ ବିଷୟରେ କହିବୁ ଯାହା ଆପଣ ବିଶ୍ବାସ କରି ପାରିବେ ନାହିଁ ।
ଛତିଶଗଡର ଅମ୍ବିକାପୁର ନିକଟ ମୈନପାଟରେ ମାଝୀ ସମ୍ପ୍ରଦାୟ ବିବାହ ସମୟରେ ବରଯାତ୍ରୀଙ୍କୁ ନିଆରା ଅନ୍ଦାଜରେ ସ୍ବାଗତ କରିଥାନ୍ତି । କନିଆଁ ଘରେ ଯେତେବେଳେ ବରଯାତ୍ରୀ ପହଞ୍ଚନ୍ତି ସେତେବେଳେ କନ୍ୟାପକ୍ଷ କାଦୁଅରେ ନାଚି ସେମାନଙ୍କ ସ୍ବାଗତ କରିଥାନ୍ତି । ଥକିପଡିବା ପର୍ଯ୍ୟନ୍ତ ସେମାନେ କାଦୁଅରେ ଗଡି ବରଯାତ୍ରୀଙ୍କ ମନୋରଞ୍ଜନ କରିଥାନ୍ତି । ଶେଷରେ ଯିଏ ଜିତିଯାଏ ତାଙ୍କୁ ସର୍ବପ୍ରଥମେ ବରଯାତ୍ରୀଙ୍କ ସ୍ବାଗତ କରିବାକୁ ସୁଯୋଗ ମିଳେ ।
ଯେତେବେଳେ ବରଯାତ୍ରୀ କନିଆଁ ଘର ନିକଟରେ ପହଞ୍ଚନ୍ତି ସେତେବେଳେ କନ୍ୟାପକ୍ଷ କାଦୁଅରେ ନାଚିବା ଆରମ୍ଭ କରିଦିଅନ୍ତି । ବ୍ୟାଣ୍ଡ୍ ବାଜା ବଜାଇ ପଶୁଙ୍କ ଭଳି ସେମାନେ ବେଶଭୂଷା ଧାରଣ କରନ୍ତି । କିଏ ମାଙ୍କଡ ସାଜେ ତ ପୁଣି କିଏ ପଶୁ ମାନଙ୍କ ସ୍ବରରେ ଡାକିଥାନ୍ତି । ଏହି ପରମ୍ପରା ପୀଢି ଧରି ଚାଲି ଆସୁଥିବା କୁହନ୍ତି ମାଝୀ ସମ୍ପ୍ରଦାୟ । ପରମ୍ପରା ଦେଖିବାକୁ କନ୍ୟା ଘର ନିକଟରେ ଅନ୍ୟ ସମାଜର ଲୋକେ ଭିଡ ଜମାଇଥାନ୍ତି ।