ହତ୍ଯାକାରୀକୁ ଧରାଇଦେଲା ବ୍ଲୁଟୁଥ ଇୟରଫୋନ

କୋଲକାତା : ଇୟରଫୋନରୁ ଧରାପଡ଼ିଲା ହତ୍ଯାକାରୀ। କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ଯା ଘଟଣାରେ ଧରାପଡ଼ିଛି ଅଭିଯୁକ୍ତ।ଅଭିଯୁକ୍ତ ସଂଜୟ ରୟକୁ ପୋଲିସ ଗତକାଲି ଗିରଫ କରି କୋର୍ଟରେ ହାଜର କରିଥିଲା। ଅଭିଯୁକ୍ତ ହତ୍ଯାକାରୀକୁ ଅଦାଲତ ୧୪ ଦିନ ଲାଗି ଜେଲକୁ ପଠାଇ ଦେଇଛନ୍ତି। ଘଟଣାସ୍ଥଳରେ ଛାଡ଼ି ଯାଇଥିବା ଇୟରଫୋନରୁ ଅଭିଯୁକ୍ତକୁ ଠାବ କରିଥିଲା ପୋଲିସ। କ୍ରାଇମ ସିନ ନିକଟରୁ ମିଳିଥିବା ବ୍ଲୁଟୁଥ୍ ଇୟରଫଓନର ଏକ ଭାଙ୍ଗିଯାଇଥିବା ଖଣ୍ଡକୁ ନେଇ ଅଭିଯୁକ୍ତ ନିକଟରେ ପହଞ୍ଚିଥିଲା ପୋଲିସ।

ଘଟଣା ପରେ ସିସିଟିଭିକୁ ଯାଞ୍ଚବେଳେ ସନ୍ଦିଗ୍ଧ ଅଭିଯୁକ୍ତ ସେମିନାର ହଲ ନିକଟରେ ବୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ସହ ଅନ୍ୟ କିଛି ସନ୍ଦିଗ୍ଧଙ୍କୁ ପଚରାଉଚରା ଲାଗି ଡାକିଥିଲେ। ଏହି ସମୟରେ ପୋଲିସ ସମସ୍ତଙ୍କ ଫୋନ ଜବତ କରିଥିଲେ। ଜଣେ ପୋଲିସ କର୍ମଚାରୀ ବ୍ଲୁଟୁଥ ଇୟରଫୋନକୁ ସମସ୍ତ ସନ୍ଦିଗ୍ଧଙ୍କ ଫୋନ ସହ ସଂଯୋଗ କରିବାକୁ ଉଦ୍ୟମ କରିଥିଲେ। ଆଉ ସେହି ଇୟରଫୋନ ଅଭିଯୁକ୍ତ ସଂଜୟର ଫୋନ ସହ ଯୋଡ଼ି ହୋଇଥିଲା। ଏହାପରେ ପୋଲିସ ତୁରନ୍ତ ସଂଜୟ ରୟକୁ ଗିରଫ କରିଥିଲା। ପଚରାଉଚରା ବେଳେ ସଂଜୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ଯା କରିଥିବା ମାନିଥିବା ଜଣାପଡ଼ିଛି।