ଆରମ୍ଭ ହେଲା ତିନି ଦିନିଆ ପର୍ଯ୍ୟବେକ୍ଷକ ବୈଠକ, ଜିଲ୍ଲାଓ୍ୱାରୀ ହିସାବ ନେଉଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ତୃଣମୂଳ ସ୍ତରରେ ବିଜେଡିକୁ ଆହୁରି ସୁଦୃଢ଼ ତଥା ସୁସଂଗଠିତ କରିବାକୁ ଆରମ୍ଭ ହୋଇଛି ପର୍ଯ୍ୟବେକ୍ଷକ ବୈଠକ । ୨୦୨୪ ସାଧାରଣ ନିର୍ବାଚନକୁ ପାଇଁ ବିଜେଡି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକଙ୍କ ସହ ୱାନ ଟୁ ୱାନ କରୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ୯ ଜିଲ୍ଲାର ୮ ପର୍ଯ୍ୟବେକ୍ଷକଙ୍କ ସହ ନବୀନଙ୍କ ଆଲୋଚନା କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଆଜି ପ୍ରଥମେ ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ କଥା ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ । ନୟାଗଡ଼ ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା କରିଛନ୍ତି ନବୀନ । ଏହାପରେ ପରେ ନବୀନ ବାଲେଶ୍ବର ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟଙ୍କ ସହ ଟିକନିକ୍ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆଲୋଚନା ସମୟରେ ପୌର ଓ ପଞ୍ଚାୟତରେ କିଛି ସ୍ଥାନରେ କାହିଁକି ବିଜେଡି ପଛୁଆ ରହିଗଲା ତା’ର କାରଣ ୧୦ ଦିନ ଭିତରେ ରିପୋର୍ଟ କରିବାକୁ କୁହାଯାଇଛି । ମାଇକ୍ରୋ ଲେଭେଲରେ କ’ଣ ଅସୁବିଧା ତାହା ପଚାରି ବୁଝିଛନ୍ତି ନବୀନ ପଟ୍ଟନାୟକ । ତେବେ ନିର୍ବାଚନ ଏକ ନିରନ୍ତର ପ୍ରକ୍ରିୟା । ୨୦୨୪ ନିର୍ବାଚନ ପାଇଁ ବିଜେଡି ପୂରା ପ୍ରସ୍ତୁତ ବୋଲି ବୈଠକ ପରେ କହିଛନ୍ତି ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ । ଆଜି କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ବାଲେଶ୍ବର, ନୟାଗଡ଼, ଅନୁଗୁଳ, ନବରଙ୍ଗପୁର, ଡେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ହେଉଛି ।