ମନ କିଣୁଛି ତ୍ରିରଙ୍ଗା ମିଠା, ସେନା କର୍ମଚାରୀ ନେଲେ ୫୦ % ରିହାତି

ସୁରଟ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ଦେଶ ପାଳୁଛି ‘ହର୍‌ ଘର୍‌ ତ୍ରିରଙ୍ଗା’। ପ୍ରତି ଘରେ ଜାତୀୟ ପତାକା ଉଡୁଥିବା ଦେଖିବାକୁ ମିଳିଛି  । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳିବାକୁ ଉଦ୍‌ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ। ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ହର୍ ଘର୍‌ ତ୍ରିରଙ୍ଗା କାର୍ଯକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଯୋଗୁଁ ଦେଶ ପ୍ରେମ ଜାଗ୍ରତ ହେବା ସହିତ ଜାତୀୟତା ବୋଧର ଅନୁଭବ ଆଣିଛି  ।

ସୁରଟରେ ବି ଦେଖିବାକୁ ମିଳିଛି ଅମୃତ ମହୋତ୍ସବର ନିଦର୍ଶନ  । ମୋଦିଙ୍କ ହର ଘର ତ୍ରିରଙ୍ଗାକୁ ସମ୍ମାନ ଜଣାଇ ଜାତୀୟ ପତାକାରେ ନିଜ ଦୋକାନକୁ ରଙ୍ଗୀନ କରିଛନ୍ତି ଜଣେ ମିଠା ଦୋକାନୀ  । ଦୋକାନ ସାରା ସେ ଜାତୀୟ ପତାକା ଲଗାଇବା ସହ ଜାତୀୟ ପତାକା ରଙ୍ଗର ବେଲୁନରେ ସଜାଇଛନ୍ତି  । ତ୍ରିରଙ୍ଗାର ଭଳିକି ଭଳି ମିଠା ପ୍ରସ୍ତୁତ କରି ସେ ଦୋକାନରେ ସଜାଇଛନ୍ତି  । ଯାହା ନେବା ପାଇଁ ଦୋକାନରେ ଗ୍ରାହକଙ୍କ ଭିଡ ଜମୁଛି  ।

ସେହିପରି ସେନାରେ କାର୍ଯ୍ୟରତ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ଦୋକାନୀ । କୌଣସି ସେନା କର୍ମଚାରୀ ଏହି ଦୋକାନରୁ ମିଠା କିଣିଲେ ସାରା ଜୀବନ ସେମାନେ ଅଧା ଦରରେ କିଣିପାରିବେ  । ସେନା, ବାୟୁସେନା ଓ ନୌସେନାରେ କାର୍ଯ୍ୟରତ ସେନା କର୍ମଚାରୀଙ୍କୁ ୫୦ ପ୍ରତିଶତ ରିହାତି ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ଦୋକାନୀ  । ସେନାରୁ ଅବସର ପରେ ବି ସେମାନଙ୍କୁ ଏହି ସୁବିଧା ମିଳି ପାରିବ ।