ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁସିଲା ସାଙ୍ଗ

ବ୍ରହ୍ମପୁର: ଟ୍ୟୁସନରେ କଥା କଟାକଟି, ସ୍କୁଲରେ ଛୁରା ମାଡ଼ । ପିଲା ପିଲା ଭିତରେ କଥା କଟାକଟିରୁ ମରଣାନ୍ତକ ଆକ୍ରମଣ । ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଛୁରା ମାଡ଼ରେ ଆଉ ଜଣେ ନବମ ଶ୍ରେଣୀ ଛାତ୍ର ଆହତ । ତାଙ୍କ ଛାତିରେ ବାଜିଛି ଛୁରୀ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର । ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲରେ ଉଭୟ ନାବାଳକ ନବମ ଶ୍ରେଣୀରେ ପଢୁଛନ୍ତି । ଟ୍ୟୁସନରେ କୌଣସି କଥାକୁ ନେଉ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କଥା ସେଇଠି ସରି ନଥିଲା । ପରଦିନ ସେହି ଘଟଣାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଫଳରେ ଉଭୟ ପରସ୍ପରକୁ ଆକ୍ରମଣ କରିଥିଲେ । ଏହି ସମୟରେ ଜଣେ ଛାତ୍ର ଅନ୍ୟ ଛାତ୍ରର ଛାତିରେ ଛୁରୀ ଭୁସି ଦେଇଥିଲେ । ଆହତ ଛାତ୍ରଙ୍କ ନାଁ ଓମ୍ ବୋଲି ଜଣାପଡିଛି ।

ତାଙ୍କୁ ଗୁରୁତର ଅବସ୍ଥାରେ ଶେରଗଡ଼ ହସ୍ପିଟାଲ ନିଆଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏମକେସିଜି ମେଡିକାଲ ଆର୍ଡ କଲେଜରେ ଭର୍ତ୍ତି କରାଯାଇଛି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ କରିଥିବା ଛାତ୍ରର ଘରକୁ ଯାଇ ପୋଲିସ ଯାଞ୍ଚ କରିବା ସହ ତାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ।