ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା, ତଦନ୍ତ ପାଇଁ ଗଠନ ହେଲା ୬ ଜଣିଆ ଇନକ୍ୱାରି ଟିମ୍

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । କଲେଜ ପକ୍ଷରୁ ତଦନ୍ତ ପାଇଁ ଗଠନ ହେଲା ୬ ଜଣିଆ ଇନକ୍ୱାରୀ ଟିମ୍ । ଆଣ୍ଟି ରାଗିଂ କମିଟି, ଶୃଙ୍ଖଳା କମିଟି ଓ ସମସ୍ତ ବିଭାଗର ଅଧ୍ୟାପକ ଏଥିରେ ସାମିଲ ଅଛନ୍ତି । ରାଗିଂ ନେଇ ରୁଚିକା ପୂର୍ବରୁ କୌଣସି ଅଭିଯୋଗ କରିନଥିଲେ । ଖୁବଶୀଘ୍ର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ବିଜେବି କଲେଜ ଅଧ୍ୟକ୍ଷ କହିଛନ୍ତି । ସେପଟେ ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷା ସ୍ଥଗିତ ରଖାଯାଇଛି । ଆଜିଠୁ ସେମିଷ୍ଟାର ହେବାର ଥିଲା । ଆଜି ଓ କାଲି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ସ୍ଥିର ହେବ । ପୋଲିସ କାଲି ପଚରାଉଚରା କରିଛି। ପୋଲିସକୁ ତଦନ୍ତରେ ସହଯୋଗ କରାଯାଉଥିବା ବିଜେବି କଲେଜ ଅଧ୍ୟକ୍ଷ କହିଛନ୍ତି ।

ସେପଟେ ଘଟଣା ପ୍ରତିବାଦରେ କଲେଜ ଫାଟକ ଆଗରେ ବସିଛନ୍ତି ରୁଚିକାଙ୍କ ପରିବାର ଲୋକ ଓ କିଛି ଛାତ୍ର ସଂଗଠନ । ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜ ଗେଟରେ ତାଲା ପକାଇ ଦେଇଛନ୍ତି । ରାଗିଂ କରୁଥିବା ୩ ସିନିୟର ଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି । ରୁଚିକାଙ୍କ ବାପା ପୋଲିସ ତଦନ୍ତରେ ସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କଲେଜ କର୍ତ୍ତୃପକ୍ଷଙ୍କ ଅସହଯୋଗକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ କଲେଜ କର୍ତ୍ତୃପକ୍ଷ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛନ୍ତି ।