ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବ ୟୁସିସି ବିଲ୍

1 min read

ଉତ୍ତରାଖଣ୍ଡ : ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବ ଏକକ ନାଗରିକ ସଂହିତା ବା ୟୁସିସି ବିଲ୍ । ଗତ ରବିବାର ୟୁସିସି ରିପୋର୍ଟକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିଲା । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ବରେ ଗଠିତ ପାଞ୍ଚ ଜଣିଆ ୟୁସିସି ଡ୍ରାଫ୍ଟିଂ କମିଟି ପକ୍ଷରୁ ଏହି ଚିଠା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିକଟରେ ଦାଖଲ କରାଯାଇଥିଲା । ରାଜ୍ୟରେ ଗୋଟିଏ ପ୍ରକାର ସିଭିଲ ଆଇନ କାର୍ଯ୍ୟକାରୀ କରିବା ଲାଗି ୟୁସିସି କମିଟି ରିପୋର୍ଟରେ ଦର୍ଶାଇଛି । ଯଦି ବିଧାନସଭାରେ ଏହା ଗୃହୀତ ହୁଏ ତେବେ ୟୁସିସି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ । ଏନେଇ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି- ଏକ ଭାରତ ଶ୍ରେଷ୍ଠ ଭାରତ ଆହ୍ବାନକୁ ଏହି ପଦକ୍ଷେପ ସଫଳ କରାଇବ । ୟୁସିସି କମିଟିରେ ଅନ୍ୟ ଯେଉଁମାନେ ସଦସ୍ୟ ରହିଛନ୍ତି ସେମାନେ ହେଲେ ଅବସରପ୍ରାପ୍ତ ବିଚାରପତି ପ୍ରମୋଦ କୋହଲି, ସାମାଜିକ କର୍ମୀ ମନୁ ଗୌର, ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂ, କୁଳପତି ସୁରେଖା ଦଣ୍ଡଓ୍ବାଲ ।

ଧର୍ମନିର୍ବିଶେଷରେ ବିବାହ, ଛାଡପତ୍ର, ଜମିଜମା, ସମ୍ପତ୍ତି, ଉତ୍ତରାଧିକାରୀତ୍ବ କ୍ଷେତ୍ରରେ ରାଜ୍ୟର ସମସ୍ତ ନାଗରିକଙ୍କ ଲାଗି ୟୁସିସି ଲାଗୁ କରିବାକୁ ସରକାର ଚାହିଁଛନ୍ତି । ୟୁସିସି କାର୍ଯ୍ୟକାରୀ କରିବାକୁ ଗତ 2022 ବିଧାନସଭା ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । 740 ପୃଷ୍ଠା ସମ୍ବଳିତ ଚିଠା ରିପୋର୍ଟ ଚାରି ଖଣ୍ଡରେ ବିଭକ୍ତ ଏବଂ 2 ଲକ୍ଷ 33 ହଜାର ଲୋକଙ୍କ ପରାମର୍ଶକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।