ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ ବୈଠକରେ ନୀତି ନିର୍ଘଣ୍ଟ

ଭୁବନେଶ୍ବର : ଆସନ୍ତା ୧୮ ତାରିଖରେ ଜାଗର । ଏଥିପାଇଁ ସବୁ ଶୈବପୀଠରେ ପ୍ରସ୍ତୁତି ଚାଲିଥିବା ବେଳେ ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ପୀଠରେ ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜାଗର ଦିନର ନୀତି ନିର୍ଘଣ୍ଟ କରାଯାଇଛି । ଚଳିତ ବର୍ଷ ମନ୍ଦିରରେ ରାତି ଗୋଟାଏରେ ମହାଦେବଙ୍କ ସୁନାବେଶ ହେବ । ଭୋର ୫ଟାରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ ।

ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ପାର୍କିଂ ସ୍ଥଳ ଓ ନଦୀଘାଟ ବୁଲି ଦେଖିଲେ ଜିଲ୍ଲାପାଳ ଓ ଏସପି । ଜାଗରଯାତ୍ରା ପାଇଁ ମନ୍ଦିରର ପରିସରରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତରେ ପହଁଚିଥିବା ବେଳେ ମନ୍ଦିର ବେଢା ପରିସର, ଗର୍ଭଗୃହ, ପ୍ରାଚେରୀ, ଚାରିଦ୍ବାର ମନ୍ଦିର, କବାଟରେ ପିତଳ ଛାଉଣି କାମ ସରିଛି । ଆଲୋକିକରଣ କାମ ଚାଲିଛି ।

ବିଶେଷକରି ବିଗତ ୨ବର୍ଷ ମହାମାରୀ କରୋନା ପାଇଁ ଜାଗରଯାତ୍ରାରେ ଭକ୍ତଙ୍କୁ ବାରଣ କରାଯାଇଥିବାରୁ ଚଳିତବର୍ଷ ୨ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ସେଥିପାଇଁ ଯାତାୟତ ଠାରୁ ଆରମ୍ଭ କରି, ପାନୀୟଜଳ, ସ୍ବାସ୍ଥ୍ୟ , ପରିମଳ ଉପରେ ଗୁରୁତ୍ବର ଭାବେ ଆଲୋଚନା କରିଥିଲେ ଜିଲାପାଳ । ସେହିପରି ବେତାଳିଗାଁ ବଜାର ଠାରୁ ଆରମ୍ଭ କରି ମଠଡିହ, ଆରଡି ପାନ୍ଥନିବାସ ଆଦି ୫ଟି ସ୍ଥାନରେ ଅସ୍ଥାୟୀ ଟ୍ରାଫିକ ପୋଷ୍ଟ ସହ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଏସପି କହିଥିଲେ ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଦକ୍ଷିଣଦ୍ବାର ଠାରୁ ଶିବଗଙ୍ଗା ପୁଷ୍କରିଣୀ ଯାଏଁ ସ୍ବତନ୍ତ୍ର ବ୍ୟାରିକେଡ କରାଯିବ ବୋଲି ଡିଆଇଭି ଡିଏସପି କହିଥିଲେ । ଭକ୍ତମାନେ ଗୋଟିଏ ଦ୍ବାରରେ ପ୍ରବେଶ କରି ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ, ଏଥିପାଇଁ ମନ୍ଦିର ଭିତର ବେଢା ସହ ମନ୍ଦିର ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ ।